କୋଭିଡ ଟିକା ଆସିବା ପୂର୍ବରୁ ଆସିଲା ଏକ ସର୍ବେକ୍ଷଣ ରିପୋର୍ଟ । ଅନ୍ୟ ଦେଶ ତୁଳନାରେ ଟିକା ନେବା ପାଇଁ ବେଶି ଆଗ୍ରହୀ ଅଛନ୍ତି ଭାରତୀୟ

ସେମାନେ ତାହା ତୁରନ୍ତ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି

78

 ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ସାର୍ବଜନୀନ ବ୍ୟବହାର ପାଇଁ ୪ଟି ଟିକା ମିଳିସାରିଛି । ସେହିପରି ୧୦ରୁ ଅଧିକ ଟିକା ଆସନ୍ତା ୩/୪ ମାସରେ ମିଳିଯିବାର ସମ୍ଭାବନା ରହିଛି । ତେବେ ବିଭିନ୍ନ କାରଣରୁ ହାତ ପାଆନ୍ତାରେ ଟିକାଟିଏ ନ ପାଇଲା ଯାଏ ନିର୍ଦ୍ଧିଷ୍ଟ ଭାବେ କିଛି କହିହେବ ନାହିଁ । ଏପରିକି ଏତେ କମ୍ ସମୟ ଭିତରେ ବିକଶିତ ଟିକାର ଫଳପ୍ରଦତା ସମ୍ପର୍କରେ ସନ୍ଦୀହାନ ଥିବା ଫ୍ରାନ୍ସ, ସ୍ପେନ୍ ଓ ଜାପାନ ପରି ଅନେକ ସଚେତନ ରାଷ୍ଟ୍ରର ନାଗରିକ ସେପରି ଟିକା ଗ୍ରହଣ କରିବା ସପକ୍ଷରେ ନାହାନ୍ତି । ସୁତରାଂ ଏକ ସଫଳ ଟିକାର ଉପଲବ୍ଧି ସମ୍ପର୍କରେ ବିଶ୍ବବାସୀ ଏପରି ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଭାରତୀୟମାନେ ନିଶ୍ଚିତ ଟିକା ଆସିଯିବ ବୋଲି ଆଶାବାଦୀ ଥିବା ଜଣାଯାଇଛି । ଏପରିକି ଯେତେ ଶୀଘ୍ର ଟିକାଟିଏ ଉପଲବ୍ଧ ହେବ, ସେମାନେ ତାହା ତୁରନ୍ତ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ।

ଵାର୍ଲ୍ଡ ଇକୋନୋମିକ୍ ଫୋରମ୍ / ଇପସସ୍ ଦ୍ବାରା ପରିଚାଳିତ ଏହି ସର୍ବେକ୍ଷଣରେ ୧୫ଟି ଦେଶର ୧୬ରୁ ୬୪ ବର୍ଷ ବୟସର ୧୮,୫୨୬ ଜଣ ନାଗରିକ ଭାଗ ନେଇଥିଲେ । ସେମାନଙ୍କ ଭିତରୁ ଅଧିକାଂଶ ପ୍ରାପ୍ତବୟସ୍କ ୨୦୨୧ ମସିହା ମଧ୍ୟଭାଗ ସୁଦ୍ଧା ଟିକାଟିଏ ମିଳିବ ବୋଲି ଆଦୌ ଭରସା କରିନାହାନ୍ତି । ସେହିପରି ଟିକାଟିଏ ଆସିବାର ତିନି ମାସ ଭିତରେ ତାହା ଗ୍ରହଣ କରିବା ଲାଗି ଅର୍ଦ୍ଧେକ ଇଚ୍ଛା ପ୍ରକଟ କରିଛନ୍ତି । ତେବେ ଭାରତୀୟମାନଙ୍କ ଭିତରୁ ୮୭ ପ୍ରତିଶତ ଖୁବ୍ ଶୀଘ୍ର ଟିକା ଆସିଯିବ ବୋଲି ବିଶ୍ବାସ ରଖିଛନ୍ତି । ସେହିପରି ୫୪ ପ୍ରତିଶତ ଭାରତୀୟ ଟିକା ମିଳିବାର ତିନି ମାସ ଭିତରେ ତାହା ଗ୍ରହଣ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ।