ବାଇଡେନଙ୍କ ଟିମ୍ ରେ ଚମକିଲେ ଭାରତୀୟ ମହିଳା । ରାଷ୍ଟ୍ରପତି ପତ୍ନୀଙ୍କ ନୀତି ପରାମର୍ଶଦାତା ଭାବେ ପାଇଲେ ନିଯୁକ୍ତି

431

କନକ ବ୍ୟୁରୋ : ଦେଶ ହେଉ କି ବିଦେଶ ଚାରିଆଡେ ଭାରତୀୟଙ୍କ କମାଲ । ବିଶ୍ୱର ସର୍ବଶ୍ରେଷ୍ଠ ବିକାଶଶୀଳ ରାଷ୍ଟ୍ର ଆମେରିକାରେ ବହୁ ବଡ ବଡ ପଦ ପଦବୀରେ ଭାରତୀୟ ମାନେ ଅବସ୍ଥାପିତ ହୋଇଛନ୍ତି । ହେଲେ ଏବେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଙ୍କ ଟିମ୍ ରେ ଜଣେ ଭାରତୀୟ ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।
ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଟିମ୍ ରେ ଜଣେ ଭାରତୀୟ ମୂଳ ବାସିନ୍ଦା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ବାଇଡେନ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ନୀତି ନିର୍ଦ୍ଦେଶକ ଭାବେ ଅଡିଗାଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୦୮ ମସିହାରେ ଆମେରିକାର ରାଷ୍ଟପତି ଥିବା ବାରାକ୍ ଓବାମାଙ୍କ ପାଇଁ ବି ଅଡିଗା କାମ କରିସାରିଛନ୍ତି । ଅଡିଗା ଜିଲ ବାଇଡେନଙ୍କ ଏକ ବରିଷ୍ଠ ପରାମର୍ଶଦାତା । ଏହା ସହ ସେ ଜୋ ବାଇଡେନ ଓ କମଲା ହାରିସ୍ ଙ୍କର ବରିଷ୍‌ଠ ନୀତି ପରାମର୍ଶଦାତା ଭାବ କାମ କରିଛନ୍ତି । ଏହା ପୂର୍ବରୁ ସେ ବାଇଡେନ ଫାଉଣ୍ଡେସନରେ ଉଚ୍ଚ ଶିକ୍ଷା ଓ ସେନା ପରିବାର ପାଇଁ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।
ସୂଚନା ଥାଉକି ବହୁ ବାଦ ବିବାଦ ଭିତରେ ଚାଲିଛି ଆମେରିକା ରାଷ୍ଟପତି ନିର୍ବାଚନ ଫଳା ଫଳ । ଏପର୍ଯ୍ୟନ୍ତ ହାର ମାନିବାକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତୁତ ନଥିବା ବେଳେ ଏପଟେ ଜୋ ବାଇଡେନଙ୍କ ବିଜୟ ପ୍ରାୟ ସ୍ଥିର ହୋଇସାରିଛି । ବାଇଡେନ୍ ତାଙ୍କ ସମ୍ପୁର୍ଣ୍ଣ ଟିମ୍ ଏପର୍ଯ୍ୟନ୍ତ ଘୋଷଣା କରିସାରିନଥିବା ବେଳେ ସମ୍ପୁର୍ଣ୍ଣ ଟିମ୍ ଘୋଷଣା ହେଲେ ଆହୁରି କେତେଜଣ ଭାରତୀୟ ତାଙ୍କ ଟିମ୍ ରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି ।