କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମକୁ ସେମିଫାଇନାଲ ପର୍ଯ୍ୟନ୍ତ ପହଂଚାଇଥିବା ମୁଖ୍ୟ ପ୍ରଶିକ୍ଷକ ଶୋର୍ଡ ମାରିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିମ ଇଣ୍ଡିଆ ମ୍ୟାଚ ହାରିବା ପରେ ଶୁକ୍ରବାର ଦିନ ସେ କହିଥିଲେ କି ଅଲମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ମ୍ୟାଚ୍ ପର୍ୟ୍ୟନ୍ତ ଦଳ ସହ ତାଙ୍କର ଦାୟିତ୍ୱ ଥିଲା । ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମ ଚତୁର୍ଥ ସ୍ଥାନରେ ରହିବାର ଶ୍ରେୟ ଶୋର୍ଡ ମାରିନଙ୍କୁ ଦିଆଯାଇଛି ।

Advertisment

ସୂଚନା ଥାଉକି ଶୋର୍ଡ ମାରିନ ୨୦୧୭ ମସିହାରେ ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ । ହେଲେ ଟୋକିଓ ଅଲିମ୍ପିକ୍ସରେ ଭାରତ ଓ ଗ୍ରେଟ୍ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ଶେଷର ମାତ୍ର କେଇ ଘଂଟା ମଧ୍ୟରେ ସେ କୋଚ୍ ପଦରୁ ଇସ୍ତଫା ଦେଉଥିବା ନେଇ ଘୋଷଣା କରିଥିଲେ । ସେ ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି “ମୋର କୌଣସି ଯୋଜନା ନାହିଁ, ଏହା ଭାରତୀୟ ଖେଳାଳୀଙ୍କ ସହ ମୋର ଶେଷ ମ୍ୟାଚ” । ଏହାପରେ ଭାରତୀୟ ମହିଳା ହକି ଦଳର ଦାୟିତ୍ୱ ଅନାଲିଟିକାଲ କୋଚ ଜାନେକା  ସୋପମ୍ୟାନଙ୍କ ଉପରେ ରହିବ ।

ଏହାସହ ସେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି କହିଛନ୍ତି କି “ଆମେ ପଦକ ଜିତିବା ସ୍ଥିତିରେ ପହଂଚି ନାହୁଁ, ତଥାପି ଅଲମ୍ପିକ୍ସରେ ଟିମ୍ ଯେଭଳି ପ୍ରଦର୍ଶନ କଲା ତାହା ଟିମ୍ ପାଇଁ ଏକ ବଡ ସଫଳତା, ଭାରତୀୟ ମହିଳା ଟିମ୍ ଯେଭଳି ପ୍ରଦର୍ଶନ କଲା ତାହା ଭାରତକୁ ପୁନର୍ବାର ଗର୍ବିତ କରିଛି ଓ ଦେଶର ମହିଳା ହକି ଖେଳାଳୀଙ୍କୁ ଏଥିରୁ ପ୍ରେରଣା ମିଳିଛି କି କଠିନ ପରିଶ୍ରମ ମାଧ୍ୟମରେ ସ୍ୱପ୍ନ ସାକାର ହୋଇପାରିବ ”

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜାନେକା ସୋପମ୍ୟାନ ବର୍ତ୍ତମାନ ମାରିନଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିବେ । କହିରଖୁ କି ମାରିନଙ୍କୁ ପ୍ରଥମେ ୨୦୧୭ ରେ ମହିଳା ହକି ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ତା’ ପରେ ତାଙ୍କୁ ପୁରୁଷ ହକିଦଳର ପ୍ରଶିକ୍ଷକ ଭାବେ ବି ନିଯୁକ୍ତ କରାଯାଇଥିଲା । ତେବେ ୨୦୧୮ ରେ ଶୋର୍ଡ ମାରିନଙ୍କୁ ପୁଣି ମହିଳା ହକି ଟିମର କୋଚ ଭାବେ ନିଯୁକ୍ତ କରାଯାଇଥିଲା । ଶୋର୍ଡ ମାରିନ ନେଦରଲାଣ୍ଡ ପାଇଁ ଖେଳିଛନ୍ତି । ଏହାସହ ତାଙ୍କ ତତ୍ତ୍ୱାବଧାନରେ ନେଦରଲାଣ୍ଡ ୨୧ ବର୍ଷରୁ କମ୍ ମହିଳା ବିଶ୍ୱକପର ଟାଇଟଲ ଜିତିଥିଲା ଓ ବରିଷ୍ଠ ମହିଳା ଦଳ ୨୦୧୫ ହକି ବିଶ୍ୱକପ୍ ଲିଗ ସେମିଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।