ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ୪ ତାରିଖରେ ଆର୍ଜେଂଟିନା ସହ ସେମିଫାଇନାଲ ମୁକାବିଲା

195

କନକ ବ୍ୟୁରୋ: ଆଖିରୁ ଝରୁଥିବା ଲୁହ ପଛରେ ବି ଥାଏ ଖୁସି । ବାସ୍ପରୁଦ୍ଧ ସ୍ୱରରେ ପଛରେ ବି ଥାଏ ଆନନ୍ଦ । ଇଏ ବିଜୟ କେବଳ ବିଜୟ ନଥିଲା, ବରଂ ଥିଲା ଏକ ସ୍ମରଣୀୟ ମୁହୁର୍ତର ମୁଖ ସାକ୍ଷୀ । ହକି ଷ୍ଟିକ୍ ଧରି ଯେତେବେଳେ ଭାରତର ଝିଅମାନେ ମୈଦାନକୁ ଓହ୍ଲାଇଥିଲେ । ଗୋଟିଏ ପରେ ଗୋଟିଏ ଇତିହାସ ସୃଷ୍ଟି ହୋଇଥିଲା ।

ଲକ୍ଷ୍ୟ ଥିଲା ସ୍ପଷ୍ଟ, କିଛି ବି ହୋଇଯାଉ ଭାରତ ପାଇଁ ବିଜୟ ଦରକାର । ବାସ୍ ଏହି ଗୋଟିଏ ଲକ୍ଷ୍ୟ, ତିନି ତିନି ଥର ଗୋଲ୍ଡ ମେଡାଲ ପାଇଥିବା ଅଷ୍ଟ୍ରେଲିଆ ମହିଳା ହକି ଦଳକୁ ପଛରେ ପକାଇ ଦେଲା ଟିମ୍ ଇଣ୍ଡିଆ । ଅଧିନାୟକ ରାନି ରାମପାଲଙ୍କ ନେତୃତ୍ୱରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ଧୁଳି ଚଟାଇ ଦେଇଛି ଭାରତ । ଆଉ ଏହି ବିଜୟ ଭାରତକୁ ଅଲିମ୍ପିକ୍ସର ସେମିଫାଇନାଲରେ ପହଂଚାଇ ଦେଇଛି । ଅଗଷ୍ଟ ୪ ତାରିଖ ସେମିରେ ଆର୍ଜେଂଟିନାକୁ ଭେଟିବ ଭାରତୀୟ ମହିଳା ହକି ଦଳ ।

ଟୋକିଓରେ ଟିମ୍ ଇଣ୍ଡିଆର ସଫଳତାର ଖୁସି, ଓଡ଼ିଶାର ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି । ଉପଅଧିନାୟକ ଦୀପଗ୍ରେସ୍ ଏକ୍କାଙ୍କ ପରିବାରରେ ଖେଳିଯାଇଛି ଖୁସିର ମାହୋଲ । ବାଲିଶଙ୍କରା ବ୍ଲକ ଲୁଲୁକିଡିହି ଗାଁରେ ଥିବା ଦୀପଗ୍ରେସ୍ଙ୍କ ସଫଳତା ନେଇ ଖୁସି ଜାହିର କରିଛନ୍ତି ବାପା-ମା’ ।
ଇତିହାସର ପୁରୁଣା ପୃଷ୍ଠା କହୁଛି- ୧୯୮୦ ମସ୍କୋରେ ଅଲମ୍ପିକ୍ସ ପ୍ରଦାର୍ପଣ କରିଥିଲା ଭାରତୀୟ ମହିଳା ହକି ଦଳ । ଏହା ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ବି ଅର୍ଜନ କରିପାରିନଥିଲା । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଶେଷ ଥର ପାଇଁ ୨୦୧୬ ଅଲିମ୍ପିକ୍ସ ଖେଳିଥିଲା ମହିଳା ଦଳ । କିନ୍ତୁ ଏଥର ପ୍ରଥମ ଥର ପାଇଁ ସେମିଫାଇନାଲକୁ ଯିବାରେ ସଫଳ ହୋଇଛି ।