ଭାରତ ଫେରିବେ ୱେଷ୍ଟଇଣ୍ଡିଜରେ ଫସିଥିବା ଭାରତୀୟ ଟିମ । ଖେଳାଳୀଙ୍କୁ ଆଣିବାକୁ ସ୍ୱତନ୍ତ୍ର ବିମାନ ପଠାଇଲା ବିସିସିଆଇ । ବୁଧବାର ସନ୍ଧ୍ୟାରେ ଭାରତ ପହଞ୍ଚିପାରେ ଟିମ୍

364

କନକ ବ୍ୟୁରୋ: ତିନି ଦିନ ହେଲା ଘୂର୍ଣ୍ଣିଝଡ଼ ଭିତରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଫସିଥିବା ଭାରତୀୟ ଟିମ୍ ସ୍ୱଦେଶ ଫେରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଝଡ଼ତୋଫାନ ଯୋଗୁଁ ଭାରତୀୟ ଟିମ୍, ବିସିସିଆଇ ଷ୍ଟାଫ, କିଛି ଖେଳାଳିଙ୍କ ପରିବାର ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ସ୍ୱତନ୍ତ୍ର ବିମାନ ପଠାଇଛି।

  • ବୁଧବାର ଭାରତ ଫେରିବ ଟିମ୍ ଇଣ୍ଡିଆ
  • ବିସିସିଆଇ ପଠାଇଲା ସ୍ୱତନ୍ତ୍ର ବିମାନ

ମିଳିଥିବା ସୂଚନା ମୁତାବକ, ପାଗ ଠିକ୍ ରହିଲେ ଭାରତୀୟ ସମୟ ଅନୁଯାୟୀ ବୁଧବାର ଭୋର ୩ଟା ୩୦ ମିନିଟରେ ଟିମ ଇଣ୍ଡିଆ ଏବଂ ସହଯୋଗୀ ଷ୍ଟାଫଙ୍କୁ ନେଇ ଉଡ଼ାଣ ଭରିବ ବିମାନ ଏବଂ ବୁଧବାର ସନ୍ଧ୍ୟା ୭ ଟା ୩୦ ମିନିଟରେ ବିମାନ ଦିଲ୍ଲୀରେ ଅବରତଣ କରିବ। ଝଡ଼ତୋଫାନ ନେଇ ବାର୍ବାଡୋସରେ ଜାରି ହୋଇଥିବା ୪ ନମ୍ବର ବିପଦ ସଙ୍କେତ ହଟିବା ଖେଳାଳିଙ୍କ ଭାରତ ଫେରିବା ସୁନିଶ୍ଚିତ ହୋଇଥିବା କୁହାଯାଉଛି। ୬ରୁ ୧୨ ଘଂଟା ମଧ୍ୟରେ ବିମାନ ଚଳାଚଳ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବାର୍ବାଡୋସ ପ୍ରଧାନମନ୍ତ୍ରୀ ମିଆ ମୋଟଲି।

  • ଖେଳାଳିଙ୍କ ସ୍ୱାଗତ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି
  • ମାଟି ଖାଇବାର ରହସ୍ୟ କହିଲେ ରୋହିତ?

୧୩ ବର୍ଷ ପରେ ଭାରତୀୟ ଟିମ ବିଶ୍ୱକପ ଜିତି ସ୍ୱଦେଶ ଫେରୁଛି। ନିଜ ପସନ୍ଦର ଖେଳାଳୀଙ୍କୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଆଉ ଖେଳାଳୀଙ୍କୁ ସ୍ବାଗତ ପାଇ ବିସିସିଆଇଠୁ ଆରମ୍ଭ କରି ବିମାନବନ୍ଦର କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ସମସ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଛଡା ବିଭିନ୍ନ ରାଜ୍ୟରେ ଖେଳାଳୀଙ୍କୁ ପାଛୋଟି ନେବାକୁ ସ୍ବତନ୍ତ୍ର ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସେପଟେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ପରେ ରୋହିତ ଶର୍ମାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ରୋହିତ ପଡିଆରୁ ମାଟି ଆଣି ଖାଉଥିବାର ନଜରରେ ଆସିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ରହସ୍ୟରୁ ପରଦା ହଟାଇଛନ୍ତି ବିଶ୍ବକପ ବିଜୟୀ କ୍ୟାପଟେନ୍।

ତେବେ ଏହାରି ଭିତରେ ବିରାଟ କୋହଲିଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ବିଜୟ ପରେ କୋହଲି ଇନଷ୍ଟଗ୍ରାମରେ କରିଥିବା ପୋଷ୍ଟକୁ ପ୍ରାୟ ୨୦ କୋଟି ୟୁଜର୍ସ ଲାଇକ କରିସାରିଲେଣି । ଏହା ହେଉଛି କୋହଲିଙ୍କ ପୋଷ୍ଟରେ ସର୍ବାଧିକ ଲାଇକ୍। ଯେଉଁଥିରେ କୋହଲି ଲେଖଥିଲେ, ସେ କେବେବି ଏଭଳି ଭଲଦିନ ସ୍ବପ୍ନରେ ବି ଦେଖିନଥିଲେ।