କନକ ବ୍ୟୁରୋ : ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ ଆଜି ଘୋଷଣା କରାଯିବ । ଏଥିପାଇଁ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ମନୋନୟନ ସମିତି ରବିବାର ଆପାତତଃ ୧୪ ଜଣଙ୍କ ନାମରେ ମୋହର ମାରିସାରିଛି । ଫଳରେ ଦଳ ମଙ୍ଗଳବାର ଘୋଷଣା ହେବାର ଆଶା କରାଯାଉଥିଲା । କିନ୍ତୁ ଇଂଲଣ୍ଡ ଗସ୍ତରେ ଥିବା ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଲଣ୍ଡନରୁ ମାଞ୍ଚେଷ୍ଟର ଯାତ୍ରା କରୁଥିବାରୁ ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଲଣ୍ଡନରେ ସଂଗରୋଧରେ ରହିଥିବାରୁ ଦଳ ଘୋଷଣାକୁ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ଉଭୟ କୋହଲି ଓ ଶାସ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସ ଜରିଆରେ ମନୋନୟନକର୍ତାମାନଙ୍କ ଆଲୋଚନା ପରେ ମନୋନୟନ ସମିତି ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ସାହା ମନୋନୟନ ସମିତି ଉପଦେଷ୍ଟା ଭାବେ ବୈଠକର ଅଂଶବିଶେଷ ରହିବେ ବୋଲି ଜଣାପଡ଼ିଛି ।
ଭାରତୀୟ ଧଳା ବଲ୍ ଦଳର ଅତିକମ୍ରେ ୧୩ରୁ ୧୫ ଜଣ ସଦସ୍ୟ ସିଧାସଳଖ ଭାବେ ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି । କେବଳ କିଛି ସ୍ଥାନ ପାଇଁ ଆଲୋଚନା ହେବ। ବିଶେଷସୂତ୍ରରୁ ଯାହା ଜଣାପଡ଼ିଛି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ହାର୍ଦ୍ଧିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଯଶ୍ପ୍ରିତ୍ ବୁମ୍ରା, ରବୀନ୍ଦ୍ର ଜାଦେଜା, ୟୁଝ୍ବେନ୍ଦ୍ର ଚହଲ, ଦୀପକ କୁମାର, ମହମ୍ମଦ ସାମି ଏବଂ ଶାର୍ଦୁଲ ଠାକୁର (ମୋଟ ୧୪ ଜଣ) ଦଳରେ ସ୍ଥାନ ବଜାୟ ରଖିବା ନିଶ୍ଚିତ । ତେଣୁ ଯଦି ୧୮ କିମ୍ବା ୨୦ ଜଣିଆ ଦଳ ଘୋଷଣା କରାଯାଏ ତାହାଲେ ଆଉ ଯେଉଁ କିଛି ସ୍ଥାନ ପାଇଁ ଆଲୋଚନା ହେବ । ସେଥିରେ ସ୍ପିନର ବରୁଣ ଚକ୍ରବର୍ତୀ ଓ ରାହୁଲ ଚହର ଏବଂ ଜାଦେଜାଙ୍କ ସ୍ଥାନ ପୂରଣ ନିମନ୍ତେ ଅକ୍ଷର ପଟେଲ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ନାମ ରହିଛି । ଏକ୍ଷେତ୍ରରେ ଅତିରିକ୍ତ ଓପ୍ନର ଭାବେ ଶିଖର ଧାୱନ୍/ପୃଥ୍ବୀ ସ, ଅତିରିକ୍ତ ୱିକେଟ୍ରକ୍ଷକ ଭାବେ ଈଶାନ କିଷନ/ସଞ୍ଜୁ ସାମ୍ସନ, ଅତିରିକ୍ତ ସ୍ପିନର ଭାବେ ବରୁଣ ଚକ୍ରବର୍ତୀ/ ରାହୁଲ ଚହର, ଅତିରିକ୍ତ ବାମହାତୀ ପେସର୍ ଭାବେ ଚେତନ ସାକାରିୟା/ଟି ନଟରାଜନ୍ ଏବଂ ଫିଟ୍ନେସ୍ ଭିତ୍ତିରେ ୱାସିଂଟନ୍ ସୁନ୍ଦରଙ୍କ ନାମ ଆଲୋଚନାକୁ ଯିବ ବୋଲି ମନୋନୟନ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।
ଆଇସିସିର ନିୟମ ଅନୁଯାୟୀ କୌଣସି ବି ଦଳ ସର୍ବାଧିକ ୩୦ ଜଣିଆ ଦଳ ଘୋଷଣା କରିପାରିବ । ପୂର୍ବ ସଂସ୍କରଣରେ ଏହି ସଂଖ୍ୟା ୨୩ରେ ସୀମିତ ଥିଲା ବେଳେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଆଇସିସି ଏହାକୁ ୩୦କୁ ବୃଦ୍ଧି କରିଛି । ହେଲେ ଏବାବଦରେ ଅତିରିକ୍ତ ଖର୍ଚକୁ ସଂପୃକ୍ତ ବୋର୍ଡ ବହନ କରିବ ବୋଲି ଆଇସିସି ଜଣାଇଦେଇଛି । ଫଳରେ ଅଧିକାଂଶ ଦଳ ସେମାନଙ୍କର ୧୫ ଜଣିଆ ତାଲିକା ଘୋଷଣା କରିସାରିଲେଣି ।