କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହୋଇଥିବା ୩ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିବା ପରେ ଭାରତୀୟ ଟିମ୍ ଆଇସିସି ଏକଦିବସୀୟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାସହ ଭାରତୀୟ ଟିମ୍ ବିଶ୍ୱ କ୍ରିକେଟର ୩ଟି ଫର୍ମାଟରେ ପ୍ରଥମସ୍ଥାନରେ ପହଂଚିଛି । ଏବେ ସମୟରେ ଭାରତୀୟ ଦଳର ଏହି ସଫଳତା ପଛରେ ଯୁବ ଓ ଅନୁଭବୀ ଖେଳାଳୀଙ୍କ ଭଲ ପ୍ରଦର୍ଶନ ରହିଛି । ଏହାର ପ୍ରଭାବ ଏବେ ଆଇସିସି ରାଙ୍କିଙ୍ଗରେ ଦେଖିବାକୁ ମିଳିଛି ।

Advertisment

ଭାରତୀୟ ଟିମ୍ ପାକିସ୍ତାନକୁ ପଛରେ ପକାଇ ଏକଦିବସୀୟରେ ପ୍ରଥମସ୍ଥାନ ଅଧିକାର କରିବା ପଛରେ ମହମ୍ମଦ ସିରାଜ ଓ ଶୁଭମନ ଗିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହମ୍ମଦ ସିରାଜ ଏବେ ଏକଦିବସୀୟ ରାଙ୍କିଙ୍ଗରେ ୧ନମ୍ବର ବୋଲର ଓ ଶୁଭମନ ଗିଲ ଆଇସିସି ରାଙ୍କିଙ୍ଗରେ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଓ ରୋହିତ ଶର୍ମା ପର୍ଯ୍ୟାୟକ୍ରମେ ୮ମ ଓ ୧୦ମ ସ୍ଥାନରେ ରହିଛନ୍ତି ।

ସେହିପରି ଟେଷ୍ଟରେ ଟିମ୍ ଇଣ୍ଡିଆ ଦୁଇଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ମ୍ୟାଚରେ ପହଂଚି ଏହାକୁ ଜିତିପାରି ନଥିଲା । ଏହା ସତ୍ତେ୍ୱ ମଧ୍ୟ ଭାରତ ଏବେ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଛି । ଖେଳାଳୀଙ୍କ ବାବଦରେ କହିବାକୁ ଗଲେ ଭାରତୀୟ ସ୍ପିନ ଯୋଡି ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କ ଆଧିପତ୍ୟ ଦେଖିବାକୁ ମିଳୁଛି । ଅଶ୍ୱନୀ ୧ନମ୍ବର ସ୍ଥାନରେ ରହିଛନ୍ତି ଓ ଜାଡେଜା ୩ନମ୍ବର ସ୍ଥାନରେ ରହିଛନ୍ତି । ଏହା ବ୍ୟତୀତ ଜାଡେଜା ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଅଶ୍ୱିନ ୨ ନମ୍ବର ସ୍ଥାନରେ ରହିଛନ୍ତି ।

ଟି-୨୦ ମାନ୍ୟତାରେ ଟିମ୍ ଇଣ୍ଡିଆ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖେଳାଳୀ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଦିନିକିଆ ବିଶ୍ୱକପ୍ ପୂର୍ବରୁ ତିନି ଫର୍ମାଟରେ ପ୍ରଥମ ସ୍ଥାନରେ ରହିବାକୁ ହେଲେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ଅବଶିଷ୍ଟ ୨ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ଜିତିବାକୁ ପଡିବ ।