ଜାପାନରେ ଗର୍ଜିବ ସୁଖୋଇ ଫାଇଟର: ଚୀନକୁ କଡା ସନ୍ଦେସ, ଖପ୍ପା ହୋଇପାରେ ଋଷ

721

କନକ ବ୍ୟୁରୋ: ଭାରତୀୟ ବାୟୁ ସେନାର ସୁଖୋଇ-୩୦ ଏମକେଆଇ ଫାଇଟର ଜେଟ୍ ଜାପାନରେ ଯୁଦ୍ଧ ଅଭ୍ୟାସ କରିବ । ଜାପାନି ବାୟୁସେନାର ନିମନ୍ତ୍ରଣରେ ଏହି ବିମାନ ଟୋକିଓରେ ଆୟାଜିତ ରଣ କୌଶଳରେ ଭାଗ ନେବାକୁ ଯାଉଛି । ଭାରତର ଏହି ଯୁଦ୍ଧାଭ୍ୟାସ ଚୀନକୁ କଡା ସନ୍ଦେସ ଦେବ ବୋଲି କୁହାଯାଉଥିବାବେଳେ ଏହାକୁ ନେଇ ଋଷ କିନ୍ତୁ ଖପ୍ପା ହୋଇପାରେ ବୋଲି ଆଲୋଚନା ହେଉଛି ।

ଡ୍ରାଗନ ସହ ସୀମା ବିବାଦ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ ଜାପାନର ମିଳିତ ସମରାଭ୍ୟାସ । ଏହି ଗୁରୁତ୍ୱପୂର୍ଣ୍ଣ ସମରାଭ୍ୟାସରେ ଯୋଗ ଦେବାକୁ ଭାରତ ନିଜର ଅତ୍ୟାଧୁନିକ ସୁଖୋଇ-୩୦ ଫାଇଟର ଜେଟ୍ ପଠାଇଛି । ପୂର୍ବ ଚୀନ ସାଗର ଓ ପୂର୍ବ ଲଦାଖରେ ଚୀନ ସହ ଭାରତ ଓ ଜାପାନର ବିବାଦ ବଡୁଥିବାବେଳେ ଏହି ସମରାଭ୍ୟାସ ଚୀନକୁ କଡା ଜବାବ ଦେବ ବୋଲି ଚର୍ଚ୍ଚା ହେଉଛି ।

ଏହା ପୂର୍ବରୁ ଭାରତର ସୁଖୋଇ ଫାଇଟର୍ ଆମେରିକାର ଏଫ୍-୧୫ ଲଢୁଆ ବିମାନ ଓ ବ୍ରିଟେନର ଟାଇଫୁନ୍ ଫାଇଟର ଜେଟ୍ ସହ ମିଳିତ ସମରାଭ୍ୟାସ କରିସାରିଛି । ଆମେରିକା ନିର୍ମିତ ଏଫ୍-୧୫, ଏଫ୍-୨ ଓ ଦୁନିଆର ସବୁଠୁ ଆଧୁନିକ ଲଢୁଆ ବିମାନ ଏଫ୍-୩୫ କୁ ନିଜର ବାୟୁସେନାରେ ସାମିଲ କରିଛି । ତେଣୁ ଜାପାନ ସହ ସମରାଭ୍ୟାସ କରିବାକୁ ପ୍ରାୟ ଅଧିକାଂଶ ରାଷ୍ଟ୍ର ଆଗ୍ରହୀ ଥାନ୍ତି । ତଥାପି ଭାରତ ସହ ରଣ କୌଶଳ ଅଭ୍ୟାସ ଦ୍ୱାରା ଜାପାନ ଅନେକ କିଛି ଶିଖି ପାରିବ ବୋଲି କହିଛନ୍ତି ଜାପାନ କନାଗୱା ୟୁନିଭର୍ସିଟିର ବିଶେଷଜ୍ଞ କୋରେ ୱାଲେସ୍ ।ତାଙ୍କ କହିବା ଅନୁସାରେ, ଭାରତର ସୁଖୋଇ- ୩୦ରେ କମ୍ ଇନ୍ଧନ ଖର୍ଚ୍ଚର କୌଶଳ, ଏହାର ରେଞ୍ଜ, ମେଣ୍ଟେନାନ୍ସ ଓ ଟେକ୍ନୋଲୋଜି ଜାପାନ ବାୟୁସେନା ଜାଣିପାରିବ । ଏହି ସମରାଭ୍ୟାସ ଯୁଦ୍ଧ ସମୟରେ ରଣନୀତି ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହେବ । ଭାରତର ସୁଖୋଇ-୩୦ ବିମାନର ଅନେକ ବିଶେଷତ୍ୱ ରହିଛି ଯାହା ବିଷୟରେ ମଧ୍ୟ ଜାଣିବାକୁ ମିଳିପାରିବ ବୋଲି ୱାଲେସ୍ କହିଛନ୍ତି ।

ଅନ୍ୟପଟେ ଜାପାନ -ଭାରତର ଏହି ସମରାଭ୍ୟାସରେ ଋଷ ଅସନ୍ତୋଷ ବ୍ୟକ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ମୁଖ୍ୟ କାରଣ ହେଉଛି ଋଷ ସହ ଜାପାନର ଉଭୟ ଜଳଭାଗ ଓ ସ୍ଥଳଭାଗକୁ ନେଇ ବିବାଦ ଚାଲିଛି । ଋଷ ସହ ଜାପାନର ସୀମା ବିବାଦ ଚାଲିଛି । ନିକଟରେ ଋଷ ତା’ର ଏକ ବିମାନ ଜାପାନ ମଧ୍ୟକୁ ପଠାଇଥିଲା । କେବଳ ଏତିକି ନୁହେଁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ ବିବାଦ ଘନେଇବାରେ ଲାଗିଛି । କୁରିଲ ଦ୍ୱୀପକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି । ଏହି ବିବାଦୀୟ ଇଲାକାରେ ଋଷ ନିଜର ଏକ ଆର୍ଥିକ କ୍ଷେତ୍ର ପ୍ରସ୍ତୁତ କରିବାକୁ ଚେଷ୍ଟା ଚଳାଉଥିବାରୁ ଶାନ୍ତିପ୍ରିୟ ଜାପାନ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ଭାରତ ବ୍ୟବହାର କରୁଥିବା ସୁଖୋଇ-୩୦ ଫାଇଟର ଋଷର ଜ୍ଞାନ କୌଶଳରେ ନିର୍ମିତ । ତେଣୁ ଜାପାନରେ ଏହାର ସମରାଭ୍ୟାସ ହେଲେ ଏହାର ଜ୍ଞାନକୌଶଳ ଜାପାନ ଜାଣିଯିବା ନେଇ ଋଷ ଅସନ୍ତୋଷ ହୋଇପାରେ ବୋଲି ସମ୍ଭାବନାକୁ ମଧ୍ୟ ଏଡାଇଦିଆଯାଇପାରୁନାହିଁ ।