ଟୋକିଓ ଅଲମ୍ପିକ୍ସରେ ଭାଙ୍ଗୁଛି ଭାରତୀୟ କ୍ରୀଡା ପ୍ରେମୀଙ୍କ ଭରସା । ଦୂତୀଙ୍କ ପରେ ନିରାଶ କଲେ ଦୀପିକା କୁମାରୀ

200

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଆଜି ଭାରତ ନିରାଶ ହୋଇଛି । ପ୍ରଥମେ ୧୦୦ ମିଟର ଦୌଡରେ ଦେଶବାସୀଙ୍କୁ ଦୂତୀ ଚାନ୍ଦ ନିରାଶ କରିଥିବା ବେଳେ ଏବେ ତୀରନ୍ଦାଜରେ ବି ଦୀପିକା କୁମାରୀ ପରାଜିତ ହୋଇ ତାଙ୍କ ଟୋକିଓ ଅଲମ୍ପିକ ଯାତ୍ରା ଶେଷ କରିଛନ୍ତି । ଦୀପିକା କୁମାରୀ ଏହି ମୁକାବିଲାରେ ୨୭-୩୦,୨୪-୨୬ ଓ ୨୪-୨୬ ସେଟରେ ପରାଜିତ ହୋଇଛନ୍ତି । ଏହାପରେ ତୀରନ୍ଦାଜରେ ଭାରତ ପାଇଁ କେବଳ ଅତନୁ ଦାସ ଆଶା ହୋଇ ରହିଯାଇଛନ୍ତି  ।

ମହିଳା ତୀରନ୍ଦାଜରେ ଦୀପିକା କୁମାରୀଙ୍କୁ ସାଧା ସେଟରେ ପରାସ୍ତ କରି କୋରିଆର ଏନ ସେନ ସେମିଫାଇନାଲରେ ପହଂଚି ଯାଇଛନ୍ତି । ଅନ୍ୟପଟେ ବିଶ୍ୱର ଜଣାଶୁଣା ତୀରନ୍ଦାଜ ଖେଳାଳି ଦୀପିକାଙ୍କୁ ନେଇ ଭାରତ ବେସ୍ ଆଶାବାଦୀ ଥିବା ବେଳେ ଏବେ କ୍ରିଡାପ୍ରେମୀଙ୍କୁ ନିରାଶ କରିଛନ୍ତି ଦୀପିକା ।

ଅନ୍ୟପଟେ ଭାରତୀୟ ମହିଳା ହକି ଟିମ୍ କ୍ୱାଟର ଫାଇନାଲ ପାଇଁ ପ୍ରସ୍ତୁତି ଜାରି ରଖିଛି । ଭାରତୀୟ ମହିଳା ହକି ଟିମ୍ ଆୟାରଲାଣ୍ଡକୁ ୧-୦ ରେ ପରାଜିତ କରିଛି । ଆସନ୍ତା କାଲି ଭାରତ ଦକ୍ଷିଣ ଅଫ୍ରିକା ବିରୋଧରେ ମ୍ୟାଚ୍ ଖେଳିବ । ଯଦି ଭାରତ ଆସନ୍ତା କାଲିର ମ୍ୟାଚ ଜିତିବ ତେବେ କ୍ୱାଟର ଫାଇନାଲରେ ପହଂଚିବା ନିଶ୍ଚିନ୍ତ ହେବ ।