ଭାରତୀୟ ସେନା ଛାଡିଲେ , ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଲେ! ସୋସିଆଲ ମିଡିଆରେ ଭାଇରାଲ ହେଲା ଇଦ୍ରିସ ମୀରଙ୍କ ଫଟୋ

41

ସେନାବାହିନୀ ଛାଡିଲେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଲେ । ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀରେ ନିଯୁକ୍ତ ଜଣେ କାଶ୍ମୀର ଯୁବକ ଅନ୍ୟତ୍ର ବଦଳି ହେବା ପରେ ସେନାବାହିନୀ ଛାଡ଼ି ମୌଳବାଦୀ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି। ଭାରତୀୟ ସେନାର ସିପାହୀ ଇଦ୍ରିସ ମୀର ସେନାରୁ ଛୁଟି ନେଇ ଦକ୍ଷିଣ କଶ୍ମୀରସ୍ଥିତ ସୋପିଆନା ଜିଲ୍ଲାରେ ଥିବା ନିଜ ଘରକୁ ଯାଇଥିବା ବେଳେ ଗତ ଏକ ସପ୍ତାହ ହେଲା ନିଖୋଜ ହୋଇ ଯାଇଥିଲେ। ପରେ ଏ କେ ୪୭ ଧରି ମୁଜାହିଦ୍ଦିନ ଗୋଷ୍ଠୀରେ ମିଶିଥିବାର ଇଦ୍ରିସ ମୀରଙ୍କ ଫଟୋ ସୋସିଆଲ ମଡିଆରେ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମଧ୍ୟ ସମାନ କଥା ଘୋଷଣା କରାଯାଇଛି। ତେବେ ଭାଇରାଲ ହୋଇଥିବା ଫଟୋଟି ଇଦ୍ରିସ ମୀରଙ୍କର କିମ୍ବା ନୁହେଁ ତାର ତର୍ଜମା କରାଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ଭାରତୀୟ ସେନାର ୧୨ ଜମ୍ମୁ ଓ କଶ୍ମୀର ଲାଇଟ ଇନଫାଣ୍ଟ୍ରିରେ ସିପାହୀ ଭାବେ କାର୍ୟ୍ୟ କରୁଥିବା ଇଦ୍ରିସ ମୀରଙ୍କର ବିହାରରେ ପୋଷ୍ଟିଂ ଥିଲା। ତେବେ ନିକଟରେ ତାଙ୍କର ଝାଡ଼ଖଣ୍ଡକୁ ବଦଳି ହୋଇଥିଲା। ମାତ୍ର ଗତ ଏପ୍ରିଲ ୧୨ ତାରିଖ ଦିନ ଇଦ୍ରିସ ସୋପିଆନା ଜିଲ୍ଲାର ସଫନଗରସ୍ଥିତ ନିଜ ଘରକୁ ଯାଇଥିଲେ। ମାତ୍ର ସେହି ରାତିରୁ ଇଦ୍ରିସ ନିଖୋଜ ହୋଇ ଯାଇଥିଲେ।

ତେବେ ଇଦ୍ରିସ ନିଖୋଜ ହେବାର ପର ଦିନ ତାଙ୍କ ବାପା ମହମ୍ମଦ ସୁଲତାନ ମୀର ଇଦ୍ରିସଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ଏ ନେଇ କୁହାଯାଇଛି ଯେ ବିଏସସି ପଢ଼ୁଥିବା ବେଳେ ଇଦ୍ରିସ ସେନାରେ ଯୋଗ ଦେଇଥିଲେ। ତେବେ ଇତ ମଧ୍ୟରେ ଇଦ୍ରିସ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହିତ ହିଜବୁଲ ମୁଜାହିଦ୍ଦିନ ସଙ୍ଗଠନରେ ସାମିଲ ହୋଇଥିବା ଗତ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାଏକ ଫଟୋରୁ ଜଣାଯାଇଛି।