ଭାରତ ଗୁଇନ୍ଦା ଇତିହାସର ଅସଲି ଟାଇଗର୍ : ଯେ ପାକିସ୍ତାନ ସେନାରେ ସାମିଲ୍ ହେଲେ , ପାକ୍ ଝିଅକୁ ବାହାହେଲେ ଏବଂ ଶତ୍ରୁସେନାକୁ ନାକେଦମ୍ କଲେ । ଯାହାଙ୍କ ନାଁ ଶୁଣିଲେ ଏବେବି ଥରହର ପାକ୍ ସେନା ଏବଂ ବଢିଯାଏ ଭାରତର ଗରିମା

3,776

ଦେଶପ୍ରେମ ଓ ସେନା ଗୋଟିଏ ମୁଦ୍ରାର ୨ ଟି ପାଶ୍ୱର୍ ହେଲେ ଗୁଇନ୍ଦା ବିଭାଗ ହେଉଛି ମୁଦ୍ରାର ମଝି ଅଂଶ । ଯାହାଙ୍କ ତୀକ୍ଷ୍ଣ ମସ୍ତିଷ୍କ ଆଗରେ ଶତ୍ରୁପକ୍ଷ ମଧ୍ୟ ଆଣ୍ଠୁମାଡ଼ି ବସିଥାନ୍ତି । ଗୁଇନ୍ଦା ବିଭାଗର ଏହି ଯୋଦ୍ଧାମାନେ ପରୋକ୍ଷରେ ହେଲେ ବି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାନ୍ତିନାହିଁ । ନିଃସ୍ୱାର୍ଥପର ଭାବେ ନିଜ ଅସଲି ପରିଚୟକୁ ଲୁଚାଇ ହଜାରେ ନାଁର ସାହାରାରେ ବିଶ୍ୱର କୋଣ ଅନୁକୋଣରେ କାର୍ଯ୍ୟରତ ଏହି ଯୋଦ୍ଧାମାନଙ୍କୁ ଆମର ଶତ ସଲାମ୍ ।

ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଯୋଦ୍ଧାଙ୍କ ତୀକ୍ଷ୍ଣ କୁଟନୀତି ଏବଂ ଅସିମ ଧର୍ଯ୍ୟର ସୂଚନା ଦେବାକୁ ଯାଉଛୁ , ଯାହାଙ୍କ କାର୍ଯ୍ୟକୁ ଦେଖି ଗୁଇନ୍ଦା ବିଭାଗରେ ତାଙ୍କୁ ‘ଟାଇଗର୍’ ନାଁରେ ସମ୍ବୋଧନ କରାଯାଉଥିଲା । ଯେ ପାକିସ୍ତାନ ମାଟିରେ ଖାଲି ପାଦ ଦେଇନଥିଲେ ଜ୍ୱାଇଁପୁଅ ହୋଇ ପାକ୍ ସେନାକୁ ବି ସାବାଡ଼୍ କରିଥିଲେ । ୨୦ ହଜାର ଭାରତୀୟ ସୈନ୍ୟଙ୍କୁ ସହିଦ୍ ହେବାରୁ ବଂଚାଇଥିବା ଏହି ରିୟଲ୍ ଟାଇଗରଙ୍କ ନାଁ ହେଉଛି “ରବିନ୍ଦ୍ର କୌଶିକ” । ଭାରତୀୟ ଗୁଇନ୍ଦା ବିଭାଗ “ର” ର ବୀର ରାଜା ଥିଲେ ‘ରବିନ୍ଦ୍ର’ । ଯେ ଏକୁଟିଆ ପୁରା ପାକ୍ ସିଷ୍ଟମକୁ ପାଣି ପିଆଇଦେଇଥିଲେ । କିନ୍ତୁ ବିଡ଼ମ୍ବନାର କଥା ହସି ହସି ନିଜ ଜବାନୀକୁ ଭାରତମାତାର ଆଞ୍ଜୁଳିକୁ ଟେକି ଦେଇଥିବା ଏହି ଯୋଦ୍ଧାଙ୍କ ବୀରଗାଥାକୁ ଖୁବ୍ କମ୍ ଲୋକ ହିଁ ଜାଣିଛନ୍ତି ।

୧୯୫୨ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜନ୍ମିଥିବା ରବିନ୍ଦ୍ରଙ୍କ କୁଟନୀତି , କପଟପଣ ଏବଂ ଅହେତୁକ ଦେଶପ୍ରେମଭାବ ଆଗରେ ବଡ଼ ବଡ଼ ଗୁଇନ୍ଦା ବି ନତମସ୍ତକ ହୁଅନ୍ତି । ରବିନ୍ଦ୍ରଙ୍କୁ ଭାରତ ଇତିହାସର ଅଦ୍ୱିତୀୟ ଗୁଇନ୍ଦା ବୋଲି ବି କୁହାଯାଏ । ପିଲାଦିନରୁ ଅଭିନୟରେ ରୁଚି ରଖିଥିବା ରବିନ୍ଦ୍ର ୧୯୭୨ ଲକ୍ଷ୍ ନୌର ୟୁଥ୍ ଫେଷ୍ଟିଭାଲରେ ଯାସୁସ୍ ଚରିତ୍ରରେ ଅଭିନୟ କରିଥିଲେ । ଇତିହାସ କହେ ଯେ , ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ସେନାର କିଛି ଅଧିକାରୀ ତାଙ୍କୁ ମିଲିଟ୍ରି ଇଣ୍ଟେଲିଜେନ୍ସରେ କାମ କରିବା ପାଇଁ ସୁଯୋଗ ଦେଲେ । ରବିନ୍ଦ୍ରଙ୍କ ପ୍ରଥମ ମିଶନ୍ ଥିଲା “ମିଶନ୍ ଟୁ ପାକିସ୍ତାନ” । ଯାହାର ଅଦ୍ଭୁଦପୂର୍ଣ୍ଣ ସଫଳତା ଦେଖି ୧୯୭୫ ରେ ପୁଣିଥରେ ତାଙ୍କୁ ପାକ୍ ମାଟିକୁ ପଠାଯାଇଥିଲା । ପାକ୍ ଯିବା ପୂର୍ବରୁ ତାଙ୍କ ପରିଚୟ ପରିବର୍ତ୍ତନ ହେଲା , ଯାହା ଭବିଷ୍ୟତରେ ପାକିସ୍ତାନ ଇତିହାସର ଏକ ପରିଚିତ ନାଁ ପାଲଟିଗଲା । ରବିନ୍ଦ୍ର କୌଶିକ ହେଲେ ନୱି ଅହମ୍ମଦ୍ ସାକିର୍ । ପାକରେ ଆସ୍ଥାନ ଜମାଇବା ପାଇଁ ସେ ଲାହୋରକୁ ବାଛିଲେ । ଲାହୋରରେ ରହିଲେ , ସେଠାକାର ଏକ ବଡ଼ କଲେଜରୁ ଏଲଏଲବି ଡ଼ିଗ୍ରୀ ହାସଲ କଲେ । ଶତ୍ରୁମାଟିରେ ଜଣେ ଭାରତୀୟ ରହିବା ଏବଂ ସେଠାକାର ଆକାଡ଼େମିକ୍ ଡ଼ିଗ୍ରୀ ହାସଲ କରିବା କ’ଣ ଦୁଃସାହସିକତାର ପରିଚୟ ନୁହେଁ! ଅସମ୍ଭବକୁ ସମ୍ଭବ କରି ଦେଖାଉଥିବା ଏହି ପ୍ରଚ୍ଛଦପଟ ଯୋଦ୍ଧାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାକ୍ ସେନାରେ ନିଜକୁ ସାମିଲ୍ କରିବା । ଆଉ ସେନାରେ ସାମିଲ୍ ହେବା ପାଇଁ ରବିନ୍ଦ୍ରଙ୍କ ସହଯୋଗ କଲା ଜାଲ୍ ପରିଚୟପତ୍ର ଏବଂ ପାକ୍ ର ଉଚ୍ଚଶିକ୍ଷା ଡ଼ିଗ୍ରୀ । ଭାରତର ରବିନ୍ଦ୍ରଙ୍କୁ ଏବେ ପାକ୍ ସେନାରେ ଜନାବ୍ ନୱି ଅହମ୍ମଦ୍ ନାଁରେ ସମସ୍ତେ ଜାଣୁଥିଲେ । ଏଠୁ ଆରମ୍ଭ ହେଲା ଟାଇଗରର ଅସଲି ମିଶନ୍ । ଯେହେତୁ ପାକ୍ ସେନାର ସବଳତା ସେତେବେଳେ ସୁଦୃଢ ଥିଲା ତେଣୁ ଟାଇଗରକୁ ଶିକାର କରିବାକୁ ଅନେକ କସରତ କରିବାକୁ ପଡ଼ିଥିଲା । ହେଲେ ଯେ ଟାଇଗର୍ ତା ବୁଦ୍ଧି ବି ଟେରର୍ ଭଳି ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ । ପାକ୍ ସେନା ଆଗରେ ସନ୍ଦେହର ସୂତାକୁ ଛିଣ୍ଡାଇବା ପାଇଁ ରବିନ୍ଦ୍ର ଜଣେ ଉପରସ୍ଥ ଅଧିକାରୀଙ୍କ ଝିଅଙ୍କୁ ନିକାହ୍ କରିଥିଲେ । ଏବେ ଜ୍ୱାଇଁପୁଅଙ୍କୁ କିଏ ସନ୍ଦେହର ଜୋରିମାନା ଲଗାଇବ! ୧୯୭୧ ରେ ଭାରତ-ପାକ୍ ଭିତରେ ସଂପର୍କ ଖୁବ୍ ଜଟିଳ ଥିଲା । ପାକିସ୍ତାନ ଭାରତକୁ ପାନେ ଚଖାଇବା ପାଇଁ ରକ୍ତର ଚାଉଳ ଚୋବାଉଥିଲା ଆଉ ଏ ଭିତରେ ଶତ୍ରୁସେନା ଭିତରେ ରବିନ୍ଦ୍ରଙ୍କ ଉପସ୍ଥିତି ଭାରତର ମେରୁଦଣ୍ଡ ସାଜିଥିଲା । ସେପଟେ ପାକ୍ ଷଡ଼ଯନ୍ତ୍ର ରଚୁଥିଲା ଏପଟେ ଭାରତକୁ ଏହାର ଟିକନିଖ୍ ଖବର ଦେଉଥିଲେ ରବିନ୍ଦ୍ର । ଆଇବିର ଡ଼ାଇରେକ୍ଟର ଏମ୍ . କେ , ଧର୍ ତାଙ୍କ ପୁସ୍ତକ “ମିଶନ୍ ଟୁ ପାକିସ୍ତାନ”ରେ ଏହି କଥାର ସବିଶେଷ ବିବରଣୀ ଦେଇଛନ୍ତି । କୌଶିକଙ୍କ କାରଣରୁ ହିଁ ଭାରତର ୨୦ ହଜାର ଯବାନ୍ ବଂଚିଥିବା ଖବର ମଧ୍ୟ କୁହାଯାଏ । ବୋଧହୁଏ ଏହି କାରଣ ପାଇଁ ସେତେବେଳର ତତକାଳୀନ ଗୃହମନ୍ତ୍ରୀ ତାଙ୍କୁ “ଟାଇଗର୍” ର ଉପାଧି ଦେଇଥିଲେ । ଏବେ ପର୍ଯ୍ୟନ୍ତ ତ ସବୁ ଠିକ୍ ଚାଲିଥିଲା ଟାଇଗରଙ୍କୁ କେହି ସନ୍ଦେହ କରୁନଥିଲେ ହେଲେ ୧୯୮୩ ରେ ନିଜର ଜଣେ ସାଥିଙ୍କ ମୁର୍ଖାମୀ ଯୋଗୁଁ ହିଁ ସେ ଫସିଯାଇଥିଲେ । ଜଣେ ଭାରତୀୟ ଏତେ ଲମ୍ବା ସମୟ ଧରି କେମିତି ପାକିସ୍ତାନରେ ଡ଼େରା ଜମାଇ ବସିଥିଲେ ଏହି କଥା ପାକିସ୍ତାନକୁ ହଜମ ହେଉନଥିଲା । ରବିନ୍ଦ୍ର ଗିରଫ ହେଲେ , ସେନାର ଥାର୍ଡ଼ ଡ଼ିଗ୍ରୀ ମାଡ଼କୁ ସହିଲେ ହେଲେ ଦେଶ ବିରୁଦ୍ଧରେ ପାଟି ଖୋଲିଲେ ନାହିଁ । ପାକ୍ ଜେଲରେ କଏଦ୍ ରବିନ୍ଦ୍ର ହୃଦରୋଗ ଏବଂ ଯକ୍ଷ୍ମା ରୋଗରେ ପୀଡିତ ହୋଇ ୨୦୦୧ ମସିହାରେ ଜୀବନ ହାରିଲେ । ଭାରତ ମା’ର ଏହି ସପୁତ ଦେଶ ପାଇଁ ନିଜ ଜୀବନ ଏବଂ ଜବାନୀକୁ ବାଜି ଲଗାଇଦେଲେ । ଗୁଇନ୍ଦା ଇତିହାସର ଏହି ବାଘଙ୍କୁ ଦେଶ ସବୁବେଳେ ମନେପକାଉଥିବ ।