ଭାରତୀୟ ରେଳବାଇର ବଡ ନିଷ୍ପତ୍ତି ! ଏବେ କେହି ବି ଭଡାରେ ନେଇ ପାରିବେ ଟ୍ରେନ୍

814

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି କ୍ରମରେ କୌଣସି ରାଜ୍ୟ ସରକାର କିମ୍ବା କମ୍ପାନୀ ଟ୍ରେନକୁ ଭଡାରେ ନେଇପାରିବେ । ଏନେଇ ଷ୍ଟେଟ ହୋଲ୍ଡର୍ସଙ୍କ ସହ ରେଳ ମନ୍ତ୍ରଣାଳୟର ଆଲୋଚନା ହୋଇଛି । ଏହି ସେବା ପାଇଁ ରେଳ ବିଭାଗ ସର୍ବନିମ୍ନ ଚାର୍ଜ ଲଗାଇବ । ଏହି ଯୋଜନାରେ ୩୩୩୩ ଟି କୋଚ୍ ଅର୍ଥାତ ୧୯୦ ଟି ଟ୍ରେନକୁ ରେଳ ମନ୍ତ୍ରଣାଳୟ ଚିହ୍ନଟ କରିଛି ।

ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଭାରତ ଗୌରବ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ ଭାରତର ସଂସ୍କୃତି, ଐତିହ୍ୟକୁ ପ୍ରଦର୍ଶନ କରିବା ଭଳି ବିଷୟବସ୍ତୁ ଆଧାରିତ ହେବ । ଏନେଇ ରେଳ ବିଭାଗ ତରଫରୁ ୧୯୦ ଟି ଟ୍ରେନ ଆବଣ୍ଟିତ କରାଯାଇଛି । ରେଳମନ୍ତ୍ରୀ କହିଛନ୍ତି କି ଯଦି ଭଲ ପ୍ରତିକ୍ରିୟା ମିଳିଲେ ଏହି ଟ୍ରେନ ସଂଖ୍ୟାର ବୃଦ୍ଧି କରାଯିବ ।

ଏହି ଟ୍ରେନର ପରିଚାଳନା କେବଳ ପର୍ଯ୍ୟଟନ ସ୍ଥଳ ପାଇଁ କରାଯିବ । ରେଳମନ୍ତ୍ରୀ କହିଛନ୍ତି କି, ଭାରତ ଗୌରବ ଟ୍ରେନ, ରାମାୟଣ ଟ୍ରେନ ମାଧ୍ୟମରେ ଲୋକଙ୍କୁ ଭାରତୀୟ ସଂସ୍କୃତି, ଆମର ବିବିଧତା ଓ ଐତିହ୍ୟ ସହ ପରିଚିତ କରାଇବାର ସୁଯୋଗ ମିଳିବ । ଏହାସହ ଆଗାମୀ ଦିନରେ ରେଳ ମନ୍ତ୍ରଣାଳୟ ଗୁରୁ କୃପା ଓ ସଫାରୀ ଟ୍ରେନ ଚଳାଇବାକୁ ଯୋଜନା କରିଛି ।

ସୂଚନା ମୁତାବକ ଟ୍ରେନ ଭଡାରେ ନେବା ପାଇଁ ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଏସି, ନନ୍ ଏସି ଭଳି ସମସ୍ତ କାଟାଗୋରୀର ଟ୍ରେନ ଉପଲବ୍ଧ ରହିବ । ଏହାସହ ରୁଟ ଚୟନ କରିବାର ଅଧିକାର କମ୍ପାନୀ ପାଖରେ ରହିବ ।