୧୫୦ ବର୍ଷର ବ୍ରିଜ ଉପରେ ଚାଲିଛି ଟ୍ରେନ, ରେଳ ବିଭାଗ କହିଲା ଏହା ଇତିହାସ

172

କନକ ବ୍ୟୁରୋ : ଇଂଗ୍ରେଜମାନେ ଭାରତ ଛାଡି ଯିବାର ୭୪ ବର୍ଷ ପରେ ବି ସେମାନଙ୍କ ଟେକ୍ନୋଲୋଜିକୁ ବୁଝିବା ଏବେ ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ କଷ୍ଟାସାଧ୍ୟ ହୋଇପଡିଛି । ସେମାନେ ନିର୍ମାଣ କରିଥିବା ବିଭିନ୍ନ ଘର ଓ ବ୍ରିଜ ଏବେ ବି ସୁରକ୍ଷିତ ଭାବେ ରହିଛି । ଏଭଳି ଏକ ବ୍ରିଜ ରହିଛି ମଧ୍ୟପ୍ରଦେଶର ଜବଲପୁର ଇଟାରସୀ ଠାରେ । ଏଠାରେ ଥିବା ଏକ ନଦୀ ଉପରେ ୧୫୦ ବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ରେଲୱେ ବ୍ରିଜ । ଏହି ବ୍ରିଜକୁ ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଥିବା କଥା କୁହାଯାଉଛି । ଏହି ବ୍ରିଜ ନିର୍ମାଣ କରିବାକୁ ୧୯ ମାସ ସମୟ ଲାଗିଥିଲା ।

ଏହି ବ୍ରିଜଟି ଦେଶର ମହତ୍ୱପୂର୍ଣ୍ଣ ବ୍ରିଜ ମଧ୍ୟରୁ ଅନ୍ୟତମ । ଏହି ବ୍ରିଜ ତବା ନଦୀର ତବା ବନ୍ଧରୁ ୭ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୨୨ ମିଟର । ଏହି ବ୍ରିଜ ଉପରେ ରେଳ ଚଳା ଚଳ କରୁଛି । ରେଳ ବିଭାଗ ଏକ ଟ୍ୱିଟ୍ ମାଧ୍ୟରେ ଏହି ବ୍ରିଜକୁ ୧୫୦ ବର୍ଷ ପୂରଣ ହୋଇଥିବା କଥା ସୂଚନା ଦେଇଛି  ।

ରେଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଏହି ଐତିହାସିକ ବ୍ରିଜ ବାବଦରେ ଉଲ୍ଲେଖ କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ରେଳର ସ୍ୱର୍ଣ୍ଣିମ ଇତିହାସକୁ ମନେ ପକାଇ ରେଳ ମନ୍ତ୍ରଣାଳୟ ଲେଖିଛି ଯେ ୧୮୭୦ ମସିହାରେ ନିର୍ମିତ ତାୱା ରେଲୱେ ବ୍ରିଜ ଓ ବାଗରତାୱା ସୁଡଙ୍ଗକୁ ୧୫୦ ବର୍ଷ ପୁରୁଣ ହୋଇଛି । ହେଲେ ଏବେ ବି ଏହି ବ୍ରିଜ ଅକ୍ଷୂର୍ଣ୍ଣ ରହିଥିବାରୁ ଏହା ଉପରେ ରେଳ ଚଳାଚଳ କରିପାରୁଛି ।

କହିରଖୁ କି ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଇଷ୍ଟ ଇଣ୍ଡିଆ ରେଲୱେ ଓ ଗ୍ରେଟ ଇଣ୍ଡିଆନ ପୋନିନସୁଲା ରେଲୱେ ରେଳ ଚଳାଚଳ ଓ ରେଳ ଲାଇନ ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଦୁଇ କମ୍ପାନୀ ମିଳିତ ଭାବେ ୧୫୦ ବର୍ଷ ପୂର୍ବେ ଅର୍ଥାତ ୧୮୭୦ ମସିହାରେ ମୁମ୍ବାଇ ଓ କୋଲକତା ମଧ୍ୟରେ ରେଳ ସଂପର୍କ ଯୋଡିବାକୁ ଜବଲପୁର ଠାରେ ଏହି ବ୍ରିଜ ନିର୍ମାଣ କରିଥିଲେ ।

ତାୱା ବ୍ରିଜ ଓ ବାଗରାତୱା ସୁଡଙ୍ଗ ଏବେ ବି ସୈନତଲାଇ ଓ ବାଗରାତାୱା ଷ୍ଟେସନ ମଧ୍ୟରେ ୮ କିଲୋମିଟର ବ୍ୟାପି ରହିଛି । ଏହି ଖଣ୍ଡର ଦୋହରିକରଣ କାର୍ଯ୍ୟ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୨୦ ରେ ଶେଷ କରାଯାଇଥିଲା । ଏବେ ପଶ୍ଚିମ ମଧ୍ୟ ରେଲୱେ ଦ୍ୱାରା ତାୱା ନଦୀ ଉପରେ ଏକ ଅତିରିକ୍ତ ତାୱା ବ୍ରିଜ ବି ନିର୍ମାଣ କରାଯାଇଛି ।