ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ

514

କନକ ବ୍ୟୁରୋ : ପାସେଞ୍ଜର ଟ୍ରେନରେ ସବୁଦିନ ହଜାର ହଜାର ଲୋକ ଯାତ୍ରା କରିବା ଭଳି ଏହି ଦୁଇ ଷ୍ଟେସନ ମଧ୍ୟରେ ମଧ୍ୟ ଯାତ୍ରୀଙ୍କ ଯିବା ଆସିବା ଚାଲେ । ଏମିତିକି ବାଲେଶ୍ୱରର ଲୋକ ସବୁଦିନ ଭଦ୍ରକ ଆସି ଚାକିରିରେ ଯୋଗଦେଇ ଫେରିଯାଆନ୍ତି । ସେମିତି ଭଦ୍ରକରୁ ଯାତ୍ରୀ ପ୍ରତିଦିନ ବାଲେଶ୍ୱର ଯାଆନ୍ତି । ଏଥିପାଇଁ ମୁଖ୍ୟତଃ ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରନ୍ତିି । ହେଲେ ଏହି ଦୁଇ ଷ୍ଟେସନ ଭିତରେ ଯିବା , ଆଉ ଆସିବାର ଭଡ଼ା ଅଲଗା ଅଲଗା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ ସତ । ବାଲେଶ୍ୱରରୁ ପାସେଞ୍ଜର ଟ୍ରେନରେ ଭଦ୍ରକ ଆସିଲେ ୨୦ ଟଙ୍କା ଦେଇ ଟିକେଟ କିଣିବାକୁ ପଡ଼େ । ହେଲେ ଭଦ୍ରକରୁ ବାଲେଶ୍ୱର ଗଲାବେଳେ ଟିକେଟ ଖର୍ଚ୍ଚ ୪୦ ଟଙ୍କା । ସମାନ ପାସେଞ୍ଜର ଟ୍ରେନ, ସମାନ ଷ୍ଟେସନ, ହେଲେ କେମିତି ଭଡ଼ା ଭିନ୍ନ ହେଉଛି, ତାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ।

ତେବେ ରେଲୱେ ଡିଭିଜନ ମଧ୍ୟରେ ତାଳମେଳ ରହୁନଥିବାରୁ ଏପରି ଟିକେଟ୍ ମୂଲ୍ୟରେ ଫରକ ଆସୁଥିବା କୁହାଯାଇଛି । ବାଲେଶ୍ୱର ଷ୍ଟେସନ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଆସୁଛି । ସେପଟେ ଭଦ୍ରକ ଷ୍ଟେସନ ପୂର୍ବତଟ ରେଳବାଇ ଅଧୀନରେ ଆସୁଛି । ହେଲେ ଟିକେଟ ମୂଲ୍ୟରେ ଫରକ ନେଇ ରେଲୱେ କୌଣସି ପଦକ୍ଷେପ ନେଇନାହିଁ ।

ଭାରତୀୟ ରେଳ ଅଧୀନରେ ସାରା ଦେଶରେ ପ୍ରତିଦିନ ହଜାର ହଜାର ଷ୍ଟେସନ ଭିତରେ ଟ୍ରେନ୍ ଚଳାଚଳ ହୁଏ । ହେଲେ ଭଦ୍ରକ ଓ ବାଲେଶ୍ୱର ଷ୍ଟେସନ ଭିତରେ ଏହି ଅଲଗା ଟିକେଟ ମୂଲ୍ୟ ବିରଳ ଘଟଣା ।