ଜୟପୁର-ମାଲକାନଗିରି ରେଳପଥ କାମ ପାଇଁ ପୂର୍ବତଟ ରେଳୱେ ଟେଣ୍ଡର ଆହ୍ୱାନ । ହୋଇନି ଜମି ଅଧିଗ୍ରହଣ, ଚାଷ ପାଇଁ ମନା କରୁଛନ୍ତି ଅଧିକାରୀ

220

କନକ ବ୍ୟୁରୋ : ଜୟପୁରୁ ମାଲକାନଗିରି ରେଳ ପ୍ରକଳ୍ପ ପାଁଇ ଖୁସି ଖବର । ଜୟପୁର-ମାଲକାନଗିରି ରେଳପଥରେ ୪୧.୫ କିଲୋମିଟର ଯାଏଁ ବ୍ରଡ୍ ଗେଜ ରେଳ ଲାଇନ୍ ପ୍ରସ୍ତୁତ ଲାଗି ଟେଣ୍ଡର ଆହ୍ୱାନ କରିଛି ଇଷ୍ଟକୋଷ୍ଟ ରେଲୱେ । ରେଳ ଲାଇନ୍ ଲାଗି ଅଣ୍ଡର ବ୍ରିଜ, ଓଭର ବ୍ରିଜ, ମାଟି କାମ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି ।

ମାଲକାନଗିରି ତହସିଲ ଅନ୍ତର୍ଗତ ଜନଗର, ବାସନ୍ତପୁର ଓ ଗୋରେଗୁଡା ମୌଜାରେ ମାଲକାନଗିରି ରେଳ ଷ୍ଟେସନ ନିର୍ମାଣ ଲାଗି ପ୍ରସ୍ତାବ ରହିଛି । ବାରମ୍ବାର ମାପ୍ ଚୁପ୍ କରି ଜମି ଚିହ୍ନଟ ହୋଇଛି । ହେଲେ ଏଯାଏଁ ଚାଷୀଙ୍କ ଜମି ଅଧିଗ୍ରହଣ କରି ଉଚିତ ମୁଲ୍ୟ ପ୍ରଦାନ କରାଯାଇନାହିଁ । କିନ୍ତୁ ଜମିରେ ଚାଷ କରିବା ଲାଗି ଅଧିକାରୀ ବାରଣ କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ମାଲକାନଗିରି ଗୌଡଗୁଡା ଗାଁର ଏରା କୱାସୀ । ପ୍ରତିବର୍ଷ ୮ ଏକର ଜମିରେ ଉଭୟ ରବି ଓ ଖରିପ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏଥର ଏରାଙ୍କ ସମେତ ଏମଭି ୪୨, ଏମଭି-୪୩ ଓ ଗୌଡଗୁଡା ଗାଁରେ ପ୍ରାୟ ୪୦ ଚାଷୀଙ୍କ ଜମି ପଡିଆ ପଡିଛି । ସେହିପରି ଖଇରପୁଟ, ମାଥିଲି ତହସିଲରେ ମଧ୍ୟ ସମାନ ସ୍ଥିତି ।

୨୦୧୬ରେ ଜୟପୁର ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଘୋଷଣା ହୋଇଥିଲା । ୨୦୧୮ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜୟପୁର-ନବରଙ୍ଗପୁର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ପ୍ରକଳ୍ପର ୫୦% ଖର୍ଚ୍ଚ ଓ ଜୟପୁର-ମାଲକାନଗିରି ପ୍ରକଳ୍ପ ୨୫% ଖର୍ଚ୍ଚ ବହନ କରିବା ଲାଗି ଚୁକ୍ତି ହୋଇଥିଲା । କିନ୍ତୁ ଏଯାଏଁ ଇଁଚେ ଘରୋଇ ଜମି ଅଧିଗ୍ରହଣ ହୋଇନାହିଁ ।