କନକ ବ୍ୟୁରୋ:  ଚଳିତ ଆଇପିଏଲ୍ ସିଜିନର ପ୍ରଥମ କିଛି ମ୍ୟାଚ୍ ଖେଳିନପାରନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ । ଖାଲି ସେତିକି ନୁହେଁ, ସେ ପାକିସ୍ତାନ ଗସ୍ତରେ ମଧ୍ୟ ନଯାଇପାରନ୍ତି ବୋଲି ସୂଚନା ମିଳିଛି । ତେଣୁ ଏଥର ଆଇପିଏଲରେ ପ୍ରଥମରୁ ଏହି ଦୁର୍ଦ୍ଦଶ ଅଲରାଉଣ୍ଡରଙ୍କୁ ମିସ୍ କରିପାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ।

Advertisment

ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ଶେଷ ଆଡକୁ ଗ୍ଲେନ୍ ମାସ୍କୱେଲ ତାଙ୍କର ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ମାକ୍ସୱେଲ ଓ ବିନୀ ରମଣ ଉଭୟ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ହେଲେ ମାର୍ଚ୍ଚ ୨୯ ତାରିଖରୁ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଯିବାର ଅଛି । ଯାହାକୁ ଏବେ ମିସ୍ କରିପାରନ୍ତି ଗ୍ଲେନ୍ ମାକ୍ସୱେଲ୍ । ଅନ୍ୟପଟେ ମାର୍ଚ୍ଚ ଶେଷ ଓ ଏପ୍ରିଲ୍ ପ୍ରଥମ ସପ୍ତାହରୁ ଆଇପିଏଲ୍ ଆରମ୍ଭ ହେବା ନେଇ ମଧ୍ୟ କୁହାଯାଉଛି । ତେଣୁ ଆରମ୍ଭରୁ କିଛି ମ୍ୟାଚ୍ ପାଇଁ ମାକ୍ସୱେଲ୍ ଉପଲବ୍ଧ ହେବେ ନାହିଁ ବୋଲି ସୂଚନା ମିଳିଛି ।

ଶ୍ରୀଲଙ୍କା ବିପକ୍ଷ ୩ୟ ଟି-୨୦ ପରେ ମାକ୍ସୱେଲ୍ କହିଛନ୍ତି ଯେ, ପ୍ରଥମରୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆ ସହ ତାରିଖକୁ ନେଇ ଆଲୋଚନା କରିଥିଲେ । ସେତେବେଳେ ବିବାହ ପାଇଁ ଭଲ ସମୟ ଥିଲା । ହେଲେ ଏହାରି ଭିତରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ପାକିସ୍ତାନ ଗସ୍ତ ନେଇ ସୂଚନା ଦେଇଛି । ତେଣୁ ତାଙ୍କର ବିବାହ ତାରିଖ ଓ ପାକିସ୍ତାନ ଗସ୍ତ ପାଖପାଖି ପଡୁଥିବାରୁ ଏହି ସିରିଜରୁ ସେ ଦୂରେଇ ରହିବେ ବୋଲି ସୂଚନା ମିଳୁଛି । ଅନ୍ୟପଟେ ଆଇପିଏଲ ମଧ୍ୟ ଏହି ସମୟରେ ଆରମ୍ଭ ହେବାକୁ ଥିବାରୁ ମାକ୍ସୱେଲ୍ ଆଇପିଏଲର କିଛି ମ୍ୟାଚ୍ ମଧ୍ୟ ହାତଛଡା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ମାକ୍ସୱେଲଙ୍କୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏଥର ନିଲାମ ପ୍ରକ୍ରିୟାକୁ ଛାଡିନଥିଲା । କୋହଲିଙ୍କ ସହିତ ଦଳ ତାଙ୍କୁ ରିଟେନ୍ ରଖିଥିଲା । ଆଗକୁ ସେ ଦଳର କ୍ୟାପଟେନ୍ ମଧ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏଭଳି ସ୍ଥିତିରେ ଯଦି ସେ ଆରମ୍ଭରୁ ବାଙ୍ଗାଲୋର ସହ ନରହନ୍ତି, ତେବେ ଡୁପ୍ଲେସିସ୍ ଦଳର କ୍ୟାପେଟନ୍ ହେବା ଏକ ପ୍ରକାର ଥୟ ବୋଲି ଅନୁମାନ କରାଯାଉଛି ।