ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ମୁଖ୍ୟ ଚୟନକର୍ତା ଚେତନ ଶର୍ମାଙ୍କ ବିସ୍ଫୋରକ ବୟାନ । କହିଲେ, ଫିଟନେସ୍ ପାଇଁ ଇଞ୍ଜେକସନ୍ ନେଉଛନ୍ତି ଖେଳାଳି

154

କନକ ବ୍ୟୁରୋ: ଭାରତର କ୍ରିକେଟରେ ଚାଲିଛି କଣ ? ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି । ଷ୍ଟିଙ୍ଗ ଅପରେସନ୍ରେ ଏଭଳି କହି ଫସିଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ସେ କହିଛନ୍ତି ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ ନେଉଛନ୍ତି । ଏ ନେଇ ବିସିସିଆଇ ଚେତନ ଶର୍ମାଙ୍କୁ ରିପୋର୍ଟ ମାଗିଛି । ତେବେ ଖୁବଶୀଘ୍ର ଏ ନେଇ ଏକ ସ୍ପଷ୍ଟୀକରଣ ଜାରି କରିବ ବୋଲି ଜଣାପଡିଛି ।

  • ‘ଫିଟ୍ ରହିବାକୁ ଇଞ୍ଜେକସନ ନିଅନ୍ତି ଖେଳାଳି’
  • ଷ୍ଟିଙ୍ଗ ଅପରସେନରେ ଚେତନଙ୍କ ବଡ଼ ଖୁଲାସା

ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା, ଏକ ଜାତୀୟ ଗଣମାଧ୍ୟମର ଷ୍ଟିଙ୍ଗ୍ ଅପରେସନରେ ଭାରତୀୟ ଖେଳାଳିଙ୍କ ଫିଟନେସ ବାବଦରେ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଷ୍ଟିଙ୍ଗ ଅପରେସନରେ ସେ କହିଛନ୍ତି, ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଏବଂ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଥିବା ବିବାଦ ଏବଂ କୋହଲିଙ୍କର କିଭଳି ଦଳରେ ପ୍ରଭାବ ରହିଛି । ଏହାବାଦ ଦଳର ଖେଳାଳି କିଭଳି ଫିଟନେସ ପାଇଁ ଇଞ୍ଜେକସନ ନିଅନ୍ତି ବୋଲି ମଧ୍ୟ ଖୋଲାଖୋଲି କହିଛନ୍ତି ଚେତନ ଶର୍ମା । ଏହି ଇଞ୍ଜେସନ ନେଲେ ଡୋପ ଟେଷ୍ଟରେ ଧରାପଡିବେ ନାହିଁ । ଯାହାକି ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ଚିକିତ୍ସକ କହିଛନ୍ତି, ଫିଟନେସ ପାଇଁ ଜଣେ ବ୍ୟକ୍ତିର ଷ୍ଟାମିନା ତାଙ୍କର ଏକ୍ସସାଇଜ, ଖାଦ୍ୟ ଉପରେ ନିର୍ଭର କରେ । ଇଞ୍ଜେକସନ ନେଇ ଫିଟ ରହିବା ସମ୍ଭବ ନୁହେଁ । ବାରମ୍ବାର ଇଞ୍ଜେକସନ ନେଉଥିଲେ ଅନେକ ଜଟିଳତା ଆସିବାର ସମ୍ଭାବନା ମଧ୍ୟ ରହିଛି

  • ବିଶ୍ୱକପ ପୂର୍ବରୁ ଚେତନଙ୍କ ବୟାନ ବଢାଇଲା ଚର୍ଚ୍ଚା
  • ଚେତନଙ୍କ ବିରୋଧରେ ଆକ୍ସନ ନେବ ବିସିସିଆଇ?

ସେପଟେ ବିସିସିଆଇ ଚେତନଙ୍କ ବୟାନକୁ ଗୁରୁତର ସହ ନେଇଛି ବୋଲି କୁହାଯାଉଛି । ଚେତନ ଶର୍ମା ଦେଇଥିବା ବୟାନକୁ ନେଇ ବିସିସିଆଇ ରିପୋର୍ଟ ମାଗିଥିବା ବେଳେ ତାଙ୍କୁ ଚୟନକର୍ତ୍ତା ପଦରୁ ହଟାଇ ଦିଆଯାଇପାରେ ବୋଲି ସୂଚନା ରହିଛି । ଏମିତିକି ଏ ବାବଦରେ ବିସିସିଆଇ ଖୁବଶୀଘ୍ର ଏକ ବିବୃତି ଜାରି କରିବ ବୋଲି କୋଷାଧ୍ୟକ୍ଷ ଆଶିଷ ଶେଲାର କହିଥିବା ସୂଚନା ରହିଛି ।

ଆଗକୁ ବିଶ୍ୱକପ ରହିଛି । ଏହାପୂର୍ବରୁ ଭାରତ କ୍ରିକେଟର ସମସ୍ତ ଯାକ ଫର୍ମାଟରେ ଏକ ନମ୍ବର ହୋଇଛି । ଏସିଆ ମହାଦେଶର ପ୍ରଥମ ଦଳ ଭାବେ ଏପରି ଗୌରବ ଅର୍ଜନ କରିଛି ମ୍ୟାନ୍ ଇନ ବ୍ଲୁ । ଆଗକୁ ବିଶ୍ୱକପ ଭଳି ମୁକାବିଲା ଥିବା ବେଳେ ଭାରତୀୟ ଟିମର ମୁଖ୍ୟ ଚୟନକର୍ତା ଏଭଳି ବୟାନ ଦେବା ବିତର୍କକୁ ଆହୁରି ବଢାଇଛି ।