ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲା ତାଲିବାନ, କହିଲା ତାଙ୍କର ନାହିଁ କୌଣସି ଭୁଲ ।

269

କନକ ବ୍ୟୁରୋ : ସତର ଛବି ଲୋକଙ୍କୁ ଦେଖାଉଥିବା ଲୋକର ନିର୍ମମ ଭାବେ ହତ୍ୟା । ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରିବା ପଛରେ ରହିଛି ତାଲିବାନର ହାତ । ଯୁଦ୍ଧର କାହାଣୀ ନିଜ କ୍ୟାମେରାରେ କଏଦ କରିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି । ସେପଟେ ତାଲିବାନ କିନ୍ତୁ ସିଦ୍ଦିକିଙ୍କ ହତ୍ୟାକୁ ନେଇ ରଖିଛି ଭିନ୍ନ ପ୍ରତିକ୍ରିୟା । ତାଙ୍କ ହତ୍ୟା ପାଇଁ ତାଲିବାନ ନିଜକୁ ଦାୟୀ କରି ନାହିଁ । ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କ ମରଶରୀର ରେଡକ୍ରସକୁ ହସ୍ତାନ୍ତର କରିଛି ତାଲିବାନ ।

ଆଫଗାନିସ୍ତାନର କାନ୍ଧାହାର କ୍ଷେତ୍ରର ଦୃଶ୍ୟ । ଆଫଗାନ ସେନାର ଗାଡି ଭିତରେ ସେମାନଙ୍କ ସହ ଅଛନ୍ତି ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି । ଆଉ ହଠାତ୍ ତାଙ୍କ ଗାଡି ଉପରେ ଆସି ମାଡ ହେଉଛି ଏକ ରକେଟ୍ । ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରି ସେଠାକାର ଭୟଙ୍କର ସ୍ଥିତି ବିଷୟରେ ଜଣାଇଥିଲେ ଦାନିଶ । ଆଉ ଏହାର କିଛି ଦିନ ପରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ଆଫଗାନ୍ ସେନା ଓ ତାଲିବାନୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧର ଚିତ୍ରକୁ ନିଜ କ୍ୟାମେରାରେ କଏଦ କରିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ଦୁଃଖ ପ୍ରକାଶ କରିଛନ୍ତି ।

ଖବର ସରବରାହ ସଂସ୍ଥା ରଏଟର୍ସ ପାଇଁ ଖବର ସଂଗ୍ରହ କରୁଥିବା ଦାନିଶ ସିଦ୍ଦିକିର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି ତାଲିବାନ । ତାଙ୍କ ମରଶରୀର ରେଡକ୍ରସକୁ ହସ୍ତାନ୍ତର କରିବା ସହ ଏଥିପାଇଁ ନିଜକୁ ଦାୟୀ କରିନାହିଁ ତାଲିବାନ ।

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁଃଖରୁ ଆରମ୍ଭ କରି ଲକଡାଉନ୍ ବେଳେ ଶ୍ରମିକର ଭୋକର ଚିତ୍ର । ପୁଣି ଦିଲ୍ଲୀ ଦଙ୍ଗାର ଦୃଶ୍ୟ ଆଉ କରୋନା ମୃତ୍ୟୁର ଭୟଙ୍କର ଚିତ୍ର । ଏଭଳି ଅନେକ ସତ କାହାଣୀ ନିଜ କ୍ୟାମେରା ଜରିଆରେ ଲୋକଙ୍କ ପାଖରେ ପହଁଚାଇଛନ୍ତି ଦାନିଶ । ଗତି କିଛିଦିନ ହେବ ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧକୁ କଭରେଜ୍ କରିବା ପାଇଁ ଆଫଗାନିସ୍ତାନରେ ଥିଲେ ଦାନିଶ । ସତର ଛବି ଲୋକଙ୍କୁ ଦେଖାଉଥିବା ଲୋକଟି ଆଜି ସତର ଛବି ଦେଖାଇବାକୁ ଯାଇ ମୃତ୍ୟୁ ବରଣ କରିଛି । ଦିଲ୍ଲୀର ବାସିନ୍ଦା ଦାନିସ ବିବାହିତ ଥିଲେ ଏବଂ ୨ଟି ସନ୍ତାନଙ୍କ ପିତା ଥିଲେ ।

କାବୁଲରେ ଥିବା ଭାରତୀୟ ଦୂତାବାସ କହିଛନ୍ତି ଯେ, ସେମାନେ ଆଫଗାନ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ତାଙ୍କ ମୃତଦେହକୁ ଭାରତରେ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯିବ । ଭାରତୀୟ ଦୂତବାସ ଦାନିସଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି । ଟିଭି ସାମ୍ବାଦିକ ଭାବେ ଦାନିଶ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଫଟୋଗ୍ରାଫିରେ ସଉକ ଥିବାରୁ ପରେ ଫଟୋ ସାମ୍ବାଦିକତାକୁ ଜୀବିକା ଭାବେ ଆପଣାଇଥିଲେ । ନିଜ ଚମତ୍କାର ଫଟୋ ପାଇଁ ସେ ଅନ୍ତର୍ଜାତୀୟ ସ୍ତରରେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ପ୍ରଥମ ଭାରତୀୟ ଭାବେ ଦାନିଶ ସମ୍ମାନଜନକ ପୁଲିଟଜର ପୁରସ୍କାର ଜିତିଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ ରହିବ ।