ବଜାରକୁ ଆସିବ ଭାରତୀୟ ଔଷଧ କମ୍ପାନୀ ସିପଲାର କରୋନା ଆଣ୍ଟିବଡି କିଟ୍ : ଏଲିଫାଷ୍ଟ ନାଁରେ ଏହି ଦେଶୀ ଆଣ୍ଟିବଡି କିଟ୍ ବିତରଣ କରିବ ସିପଲା

219

କନକ ବ୍ୟୁରୋ : ବଜାରକୁ ଆସିବ ଭାରତୀୟ ଔଷଧ କଂପାନୀ ସିପ୍ଲାର କରୋନା ଆଂଟିବଡି କିଟ୍ । ଏଲିଫାଷ୍ଟ ନାଁରେ ଏହି ଦେଶୀ ଆଂଟିବଡି କିଟ୍ ବିତରଣ କରିବ ସିପ୍ଲା । କରୱା ଲିମିଟେଡ୍ ସହଭାଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ ବା ଆଇସିଏମଆର ଓ ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲଜିର ଜ୍ଞାନ କୌଶଳରେ ଏହାକୁ ବିକଶିତ କରାଯାଇଛି ।

ଏହାକୁ ମଧ୍ୟ ଅନୁମତି କରିଛି ଆଇସିଏମଆର । ଅନୁମୋଦିତ ସଂସ୍ଥାଗୁଡିକୁ ଏହି ଆଂଟିବଡି କିଟ୍ ଯୋଗାଇବ ସିପ୍ଲା । ଶରୀରରେ କରୋନା ବିରୋଧରେ କେତେ ରୋଗପ୍ରତିରୋଧକ ଶକ୍ତି ବିକଶିତ ହୋଇଛି, ଏହାକୁ ସଠିକ୍ ଭାବେ ମାପିବାକୁ ଏହି ଆଂଟିବଡି କିଟ୍ ସକ୍ଷମ ହୋଇପାରିବ ବୋଲି ସିପ୍ଲା ପକ୍ଷରୁ କୁହାଯାଇଛି । ତେବେ ଆଂଟିବଡି କିଟ୍ ‘ଏଲିଫାଷ୍ଟ’ର ମୂଲ୍ୟ କେତେ ରହିବ, ଏ ନେଇ ସିପ୍ଲା ପକ୍ଷରୁ କିଛି କୁହାଯାଇନାହିଁ ।

ଜନସଂଖ୍ୟାର କେତେ ଅନୁପାତ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ତାହା ଜାଣିବା ପାଇଁ ଆଂଟିବଡି ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କିଟ୍ କୋଭିଡ ମୁକାବିଲାରେ ବଡ଼ ଭୂମିକା ତୁଲାଇବ ବୋଲି ଆଶା କରାଯାଉଛି । ସେରୋ-ସର୍ଭେ କାର୍ଯ୍ୟକୁ ଏହା ତ୍ୱରାନ୍ୱିତ କରିପାରିବ । କରୋନା ବିରୋଧରେ ଲଢ଼ିବା ପାଇଁ ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ସଠିକ ତଥ୍ୟ ଦେବ ଏଲିଫାଷ୍ଟ ।