କୋଭିଡ-୧୯ ବିପକ୍ଷରେ ୫ ମାସରୁ ଅଧିକ ସମୟ ଧରି କାର୍ଯ୍ୟ କରିବ ଆଣ୍ଟିବଡି । ଚିହ୍ନଟ କଲେ ଭାରତୀୟ ବଂଶୋଦ୍ଭବ ଗବେଷକ ।

551

କନକ ବ୍ୟୁରୋ : କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ୬୦୦୦ ବ୍ୟକ୍ତିଙ୍କ ଠାରୁ ସଗୃହୀତ ‘ଆଣ୍ଟିବଡି’ ନମୁନା ଅଧ୍ୟୟନ କରି ଯୁକ୍ତରାଷ୍ଟ୍ର ଆମେରିକାର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଡ୍-୧୯ ବିପକ୍ଷରେ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟୂନ ୫ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ।

ଏରିଜୋନା ବିଶ୍ବବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଭାରତୀୟ ବଂଶୋଦ୍ଭବ ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ଏହି ଗବେଷଣାର ନେତୃତ୍ୱ ନେଇଥିଲେ। ସେ କହନ୍ତି, ‘ସାର୍ସ-କୋଭ୍-୨’ ସଂକ୍ରମଣ ହେବାର ପାଞ୍ଚରୁ ସାତ ମାସ ମଧ୍ୟରେ ଉଚ୍ଚମାନର ‘ଆଣ୍ଟିବଡି’ ବା ରୋଗ ପ୍ରତିରୋଧକ ଶକ୍ତି ଉତ୍ପାଦିତ ହେଉଥିବା ଆମେ ସ୍ପଷ୍ଟ ଭାବେ ଦେଖି ପାରିଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ବିପକ୍ଷରେ ‘ରୋଗପ୍ରତିରୋଧକ ଶକ୍ତି’ ତିଷ୍ଠି ପାରେନାହିଁ ବୋଲି ଅନେକ ଆଶଙ୍କା ପ୍ରକାଶ କରନ୍ତି। ସେଥିଲାଗି ଆମେ ଏହି ଅଧ୍ୟୟନ କରିଥିଲୁ। ଏଥିରୁ ଜାଣିଲୁ, ମାନବ ଶରୀରରେ ଅନ୍ୟୂନ ୫ ମାସ ପର୍ଯ୍ୟନ୍ତ ‘ରୋଗପ୍ରତିରୋଧକ ଶକ୍ତି’ ତିଷ୍ଠି ରହିପାରେ। ପ୍ରଫେସର୍ ଜାଙ୍କୋ ନିକୋଲିଚ-ଜୁଗିଚଙ୍କ ପରିଚାଳିତ ଏହି ଅଧ୍ୟୟନ ‘ଇମ୍ୟୁନିଟି’ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଗବେଷଣାର ଫଳାଫଳ ବୁଝାଇବାକୁ ଯାଇ ବିଶେଷଜ୍ଞମାନେ କହନ୍ତି, ଭୂତାଣୁ ଜୀବକୋଷଗୁଡ଼ିକୁ ସଂକ୍ରମିତ କରିବା କ୍ଷଣି ତାଙ୍କ ସହ ଲଢ଼ିବା ଲାଗି ଶରୀରର ‘ରୋଗ ପ୍ରତିରୋଧକ ବ୍ୟବସ୍ଥା’ ମୁତୟନ କରୁଥିବା ସ୍ୱଳ୍ପାୟୁ ପ୍ଲାଜମା କୋଷଗୁଡ଼ିକ ‘ଆଣ୍ଟିବଡି’ ଉତ୍ପାଦନ କରନ୍ତି। ସଂକ୍ରମିତ ହେବାର ୧୪ ଦିନ ମଧ୍ୟରେ ଉକ୍ତ ‘ଆଣ୍ଟିବଡି’ ସବୁ ରକ୍ତ ପରୀକ୍ଷାରେ ଦେଖା ଯାଆନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ଶରୀରର ‘ରୋଗ ପ୍ରତିରୋଧକ ବ୍ୟବସ୍ଥା’ ଦୀର୍ଘାୟୁ ପ୍ଲାଜମା କୋଷ ଉତ୍ପାଦନ କରନ୍ତି। ଏଥିରୁ ଉତ୍କୃଷ୍ଟ ଧରଣର ‘ଆଣ୍ଟିବଡି’ ଉତ୍ପାଦିତ ହୁଏ ଯାହା ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରେ। କିନ୍ତୁ, ଏହି ‘ଆଣ୍ଟିବଡି’ଗୁଡ଼ିକ ‘ସାର୍ସ-କୋଭ୍-୨’ ବିପକ୍ଷରେ ସ୍ଥାୟୀ ସୁରକ୍ଷା ଦେଇ ପାରିବେ କି, ନାହିଁ, ତାହାର ଉତ୍ତର ଦେବା କଷ୍ଟକର ବୋଲି ‘ଏରି‌ଜୋନା ହେଲଥ୍‌ ସାଇନସେସ୍’ର ବରିଷ୍ଠ ଉପାଧ୍ୟକ୍ଷ ମାଇକେଲ୍ ଡି ଡେକ୍ କହିଛନ୍ତି।