ଆମେରିକା ରାଜନୀତିକୁ ଓହ୍ଳାଇଲେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍  । ଉପରାଷ୍ଟ୍ରପତି ପ୍ରାର୍ଥୀ  ଘୋଷଣା କଲା ଡେମୋକ୍ରାଟିକ୍ ଦଳ, କମଳାଙ୍କୁ ଜଣେ ନିର୍ଭିକ ଯୋଦ୍ଧା ଭାବେ ବର୍ଣ୍ଣନା କଲେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ

203

କନକ ବ୍ୟୁରୋ : ଆମେରିକା ରାଜନୀତିରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା  । କମଳା ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲା ଡେମୋକ୍ରାଟିକ୍ ଦଳ  । କମଳାଙ୍କ ନାଁକୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଣୋ କରିଛନ୍ତି ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍   । କମଳାଙ୍କୁ ଜଣେ ନିର୍ଭିକ ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତି ବାଇଡେନ  ।

ଆମେରିକାର ରାଜନୀତି ମୈଦାନରେ ମଜବୁତ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । କମଳା ହାରିସ୍ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି  । କମଳା ଡେମୋକ୍ରାଟିକ ଦଳରୁ ଉପରାଷ୍ଟ୍ରପତି ଭାବେ ଲଢ଼ିବେ  । ଏନେଇ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ମଙ୍ଗଳବାର ଘୋଷଣା କରିଛନ୍ତି  । କମଳାଙ୍କୁ ଜଣେ ନିର୍ଭିକ ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତି ବାଇଡେନ୍  । ତେବେ ମଜାଦାର କଥା ହେଲା ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବାଇଡେନଙ୍କ ପ୍ରତିଦ୍ୱନ୍ଦୀ ଥିଲେ କମଳା । ତେବେ ଅଧାରୁ ଏହି ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିଲେ କମଳା ହାରିସ୍  । ବାଇଡେନ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୂଡ଼ାନ୍ତ ହେବା ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ  କମଳା ହାରିସଙ୍କ ନାଁ ଉପରେ ମୋହର ଲାଗିଛି  ।

କମଳାଙ୍କ ମା’ ଭାରତୀୟ ହୋଇଥିବା ବେଳେ ବାପା ଜାମାଇକା ଅଧିବାସି  । ତାଙ୍କ ମା’ ଶ୍ୟାମଳା ଗୋପାଳନଙ୍କ ଘର ତାମିଲନାଡୁ  । ଶ୍ୟମଳା ଗବେଷଣା ପାଇଁ ୧୯୬୦ରେ ଆମେରିକା ଯାଇଥିଲେ  । ଆଉ ସେଠାରେ ତାଙ୍କର ବାପା ଡୋନାଲ୍ଡ ହାରିସଙ୍କ ସହ ଦେଖାହୋଇଥିଲା  । କମଳାଙ୍କ ଜଣେ ସାନଭଉଣୀ ଅଛନ୍ତି ମାୟା ହାରିସ୍  । ସେ ମଧ୍ୟ ଜଣେ ରାଜନୈତିକ କର୍ମୀ  । କମଳା ନିଜକୁ ସବୁବେଳେ କୃଷ୍ଣକାୟ ଓ ଭାରତୀୟ ମୂଳ ଭାବେ କହିଆସିଛନ୍ତି । ଏହାସହ ଚେନ୍ନାଇ ସହ ତାଙ୍କ ଘନିଷ୍ଠ ସମ୍ପର୍କ ରହିଛି  । ପିଲାବେଳେ ଚେନ୍ନାଇରେ କଟିଥିବା କିଛି ଦିନର ସ୍ମୃତିକୁ ମନେ ପକାଇ ବେଶ୍ ଖୁସି ଅନୁଭବ କରନ୍ତି ସେ  ।

କମଳା ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ସ୍ନାତକ କରିଛନ୍ତି  । ଏହାପରେ ଆଇନ ଶିକ୍ଷା ପ୍ରତି ମନ ବଳିଥିଲା ତାଙ୍କର  । ପରେ ସେ କାଲିଫର୍ଣ୍ଣିଆର ହାଷ୍ଟିଙ୍ଗସ୍ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ  । ୧୯୯୦ରେ ଆଲବାମା କାଉଂଟିରେ ଡେପୁଟି ଡିଷ୍ଟ୍ରିିକ୍ଟ ଆଟର୍ଣ୍ଣି ଭାବେ ନିଯୁକ୍ତ ହୋଇଥିଲେ କମଳା ।

ଆମେରିକାରେ ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିବାରେ କମଳା ପ୍ରଥମ କୃଷ୍ଣକାୟ ମହିଳା  । ନିଜକୁ ଜଣେ ଦୃଢ଼ ରାଜନେତା ଭାବେ ପ୍ରମାଣ କରିସାରିଛନ୍ତି କମଳା ହାରିସ୍  । ୨୦୦୩ରେ ସାନଫ୍ରାନସିସକୋର ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ ନିର୍ବୋଚିତ ହୋଇଥିଲେ ସେ  । ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି  । ୨୦୧୦ରେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ହୋଇଥିଲେ କମଳା  । ଏହାପରେ ୨୦୧୬ରେ କାଲିଫର୍ଣ୍ଣିଆରୁ ଆମେରିକା ସିନେଟକୁ ନିର୍ବାଚିତ ହୋଇଥିଲେ  । ସିନେଟରେ ତାଙ୍କର ଶାଣିତ ତର୍କ ବିରୋଧୀଙ୍କୁ ଅନେକ ଥର ଚୁପ୍ କରାଇଦେଇଛି  । ସ୍ୱାସ୍ଥ୍ୟସେବା ନେଇ ସୁଧାର, ଟାକ୍ସ ନିୟମରେ ଉନ୍ନତି ପରି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କର ଦୃଢ଼ ମତକୁ ବେଶ୍ ପ୍ରଶଂସା ମିଳିଆସିଛି  ।

କମଳାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବଛାଯିବା ପଛରେ ବାଇଡେନଙ୍କ ଏକ ରାଜନୈତିକ ରଣକୌଶଳ ଥିବା ସମୀକ୍ଷକ ମାନେ କହିଛନ୍ତି  । କମଳାଙ୍କ ଜରିଆରେ ଭାରତୀୟ ମୂଳ ନାଗରିକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ଡେମୋକ୍ରାଟିକ ଦଳ  । ଏହା ସହ ଜାମାଇକା ବଂଶୋଦ୍ଭବ ନାଗରିକ ମାନଙ୍କୁ ଦଳ ଆଡ଼କୁ ଆଣିବାରେ କମଳାଙ୍କ ପ୍ରାର୍ଥୀତ୍ୱ ସହାୟକ ହୋଇପାରେ  ।

ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି  । ରିପବ୍ଲିକାନ ଦଳର ରାଷ୍ଟ୍ରପତି ଭାବେ ପୁଣି ଥରେ ଲଢ଼ୁଛନ୍ତି ଡୋନାଲ୍ଡ ଟ୍ରମ୍ପ  । ତେବେ କରୋନା ସ୍ଥିତି ଯୋଗୁଁ ଏହି ନିର୍ବାଚନ ନଭେମ୍ବର ହେବା ସପକ୍ଷରେ ନାହାନ୍ତି ଟ୍ରମ୍ପ ।