ସିଙ୍ଗାପୁର : ଭାରତୀୟଙ୍କ ପାଇଁ ଆଉ ଏକ ଖୁସି ଖବର । ଭାରତୀୟ ମୂଳନିବାସୀ ଥର୍ମନ ଶନମୁଗରତ୍ନମ ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​ସେ ୭୦.୪ % ରୁ ଅଧିକ ଭୋଟ୍ ପାଇଥିଲେ । ଏକ ଦଶନ୍ଧିରୁ ଅଧିକ ସମୟ ପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଲୋକମାନେ ବହୁ ସଂଖ୍ୟାରେ ମତଦାନ କରିଥିଲେ ।

Advertisment

ଏକ ତ୍ରିକୋଣୀୟ ମୁକାବିଲାରେ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ନିରବଚନ ଜିତିଥିଲେ । ସିଙ୍ଗାପୁରର ନବମ ରାଷ୍ଟ୍ରପତି ନିର୍ବାଚନରେ ଥର୍ମନଙ୍କୁ ଛାଡି ଅନ୍ୟ ଦୁଇଜଣ ପ୍ରାର୍ଥୀ ହେଲେ - ସିଙ୍ଗାପୁର ସରକାରୀ ନିବେଶ ନିଗମ (ଜିଆଇସି) ର ପୂର୍ବତନ ମୁଖ୍ୟ ବିନିଯୋଗ ଅଧିକାରୀ ଏନ କୋକ ସୋଙ୍ଗ ଏବଂ ଦେଶର ରାଷ୍ଟ୍ରାୟତ୍ତ ବୀମା ଗୋଷ୍ଠୀ NTUC ଇନକମର ପୂର୍ବତନ ମୁଖ୍ୟ ଟେନ୍ କିନ୍ ଲିଆନ୍ ।

ଭାରତୀୟ  ବଂଶୋଭବ ୬୬ ବର୍ଷୀୟ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍ମନ ଶନମୁଗରତ୍ନମ ଦେଶର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଇ ଗତ ମାସରୁ ନିଜର ରାଷ୍ଟ୍ରପତି ଅଭିଯାନକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ ।  କଠୋର ମାନଦଣ୍ଡରେ ମନୋନୀତ ହୋଇଥିବା ତିନି ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେ ଜଣେ ଥିଲେ। ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କରୁଥିବା ପ୍ରାର୍ଥୀଙ୍କୁ ଏକ କଠୋର ଯୋଗ୍ୟତା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ ।

୨୦୦୧ରେ ରାଜନୀତିରେ ପ୍ରବେଶ କରିଥିବା ଶନମୁଗରତ୍ନମ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସକ ପିପୁଲ୍ସ ଆକ୍ସନ୍ ପାର୍ଟି (PAP) ସହିତ ରାଜନୈତିକ କ୍ଷେତ୍ର ଏବଂ ସରକାରରେ ମନ୍ତ୍ରୀ ପଦବୀରେ ରହିଆସିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି । ଗତ ୧୨ ବର୍ଷ ମଧ୍ୟରେ ଏହା ସିଙ୍ଗାପୁରର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଥିଲା, କାରଣ ୨୦୧୭ ନିର୍ବାଚନ କେବଳ ମାଲାୟା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା । ୨୦୧୧ ପରେ ସିଙ୍ଗାପୁରରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ । ସିଙ୍ଗାପୁରରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ୨୮ ଅଗଷ୍ଟ ୧୯୯୩ରେ ଅନୁଷ୍ଠିତ ହୋଇଥିଲା ।

ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ ଛଅ ବର୍ଷର କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି ।  ସେ ହେଉଛନ୍ତି ଦେଶର ଅଷ୍ଟମ ରାଷ୍ଟ୍ରପତି ଏବଂ ଏହି ପଦବୀରେ ପହଞ୍ଚିଥିବା ପ୍ରଥମ ମହିଳା । ସିଙ୍ଗାପୁରରେ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ଏକ ସଂରକ୍ଷିତ ନିର୍ବାଚନ ଥିଲା ଯେଉଁଥିରେ କେବଳ ମାଲାୟ ସମ୍ପ୍ରଦାୟର ସଦସ୍ୟଙ୍କୁ ପ୍ରତିଯୋଗିତା କରିବାକୁ ଅନୁମତି ଦିଆଯାଇଥିଲା । ସେହି ସମୟରେ ଅନ୍ୟ ପ୍ରାର୍ଥୀ ନ ଥିବାରୁ ହଲିମାଙ୍କୁ ରାଷ୍ଟ୍ରପତି ଭାବରେ ମନୋନୀତ କରାଯାଇଥିଲା ।