ହତ୍ୟା ଅଭିଯୋଗରେ ପାଇଥିଲେ ମୃତ୍ୟୁ ଦଣ୍ଡ । ଏବେ ବ୍ଲଡ ମନି ଦେଇ ଭାରତ ଫେରିବେ କେରଳର ନର୍ସ ନିମୀଷା ପ୍ରିୟା

315

କନକ ବ୍ୟୁରୋ : ୟମନ ଜେଲରେ ବନ୍ଦୀ ଥିବା କେରଳର ନର୍ସ ନିମୀଷା ପ୍ରିୟାଙ୍କୁ ଭାରତ ଫେରାଇଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଭାରତ ସରକାର ନିମୀଷାଙ୍କୁ ଛାଡିବା ପାଇଁ ଟଙ୍କା ପଠାଇବାକୁ ଅନୁମତି ଦେଇଛନ୍ତି । ଭାରତୀୟ ଦୂତାବାସ ମାଧ୍ୟମରେ ୪୦ ହଜାର ଡଲାର ପଠାଯିବ । କେରଳର ପାଲକ୍କଦରେ ରହୁଥିବା ପ୍ରିୟାଙ୍କୁ ୨୦୧୭ ମସିହାରେ ଜଣେ ୟମନ ନାଗରିକଙ୍କୁ ହତ୍ୟା କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେତେବେଳେ ପ୍ରିୟା ୟମନ ଛାଡିବା ନେଇ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ତାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଯାଇଥିଲା । ଏବେ ପ୍ରିୟାଙ୍କ ମାମଲାରେ ବ୍ଲଡ ମନି ଦେଇ ଦଣ୍ଡ କୋହଳ କରିବାକୁ ଭାରତ ସରକାର ଚେଷ୍ଟା ଚଳାଇଛନ୍ତି ।

୨୦୧୨ ମସିହାରେ ପ୍ରିୟା ନର୍ସିଂ ପାଠ ସାରି ପରିବାର ସହ ୟମନ ଚାଲିଯାଇଥିଲେ । ସେଠାରେ ସେ ଏକ ହସ୍ପିଟାଲ ଖୋଲିବାକୁ ଯୋଜନା କରିଥିଲେ । ହେଲେ ୟମନର ନିୟମ ମୁତାବକ କେବଳ ତାଙ୍କ ଦେଶର ନାଗରିକ ନିଜ ଦେଶରେ ହସ୍ପିଟାଲ ଖୋଲିପାରିବେ । ଏନେଇ ପ୍ରିୟା ତଲାଲ ଓବ୍ଦୋ ମହଦୀ ନାମକ ଜଣେ ୟମନ ନାଗରିକଙ୍କ ସହାୟତା ନେଇଥିôଲେ । ଏହାପରେ ପ୍ରିୟା ମହଦୀ ସହ ବିବାହ କରିଥିବାର ଏକ ନକଲି ପେପର ପ୍ରସ୍ତୁତ କରିଥିଷଲ । ଏହାଦ୍ୱାରା ପ୍ରିୟାଙ୍କୁ ହସ୍ପିଟାଲ ଚଳାଇବାକୁ ମଞ୍ଜୁରୀ ମଳିଥିଲା । ହେଲେ ୨୦୧୫ ମସିହାରେ ସେଠାରେ ଯୁଦ୍ଧ ସ୍ଥିତି ଦେଖି ପ୍ରିୟା ଓ ତାଙ୍କ ପରିବାର ଭାରତ ଫେରିଆସିଥିଲେ । କିଛିଦିନ ପରେ ପ୍ରିୟା ଏକା ୟମନ ଯାଇଥିଲେ ।

କିଛି ଅନ୍ତର୍ଜାତୀୟ ଖବର ମୁତାବକ ପ୍ରିୟାଙ୍କୁ ଏକୁଟିଆ ପାଇଁ ମହଦୀ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ବାଧ୍ୟ କରିଥିଲା । ଏହା ନ କଲେ ମହଦୀ ହସ୍ପିଟାଲ ବନ୍ଦ କରିଦେବାକୁ ଧମକ ଦେଉଥିଲା । ଏସବୁ ଝଗଡା ଭିତରେ ପ୍ରିୟା ଇଂଜେକ୍ସନରେ ବିଷ ଦେଇ ମହଦୀଙ୍କୁ ହତ୍ୟା କରିଥିବା କଥା କୁହାଯାଉଛି । ମହେଦୀଙ୍କ ମୃତ୍ୟୁ ପରେ ପ୍ରିୟା ଓ ତାଙ୍କର କିଛି ସହଯୋଗୀ ମିଶି ମର ଶରୀରକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ପକାଇ ଦେଇଥିଲେ । ଏହାପରେ ପ୍ରିୟା ଯେତେବେଳେ ଭାରତ ଫେରିଆସିବାକୁ ଯୋଜନା କରିଥିଲେ, ସେଠିକାର ପୋଲିସ ତାଙ୍କୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ପ୍ରିୟାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ।

ଏବେ ଜାଣିବା କ’ଣ ଏହି ବ୍ଲଡ ମନି । ପ୍ରିୟାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପରଦିନ ଠାରୁ ବ୍ଲଡ ମନିକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ଏବେ ଏହି ବ୍ଲଡ ମନି ଟ୍ରାନ୍ସଫର ହେବାକୁ ଯାଉଛି । ଇସଲାମିକ୍ ଆଇନ ମୁତାବକ ପୀଡିତ ପରିବାର ସ୍ଥିର କରନ୍ତି କି, ଅପରାଧୀଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ । ଏହାସହ ପୀଡିତ ପରିବାର ପାଖରେ ଏକ ହକ୍ ମଧ୍ୟ ରହିଛି କି, ସେମାନେ ଟଙ୍କା ବଦଳରେ ଦୋଷୀକୁ ଛାଡି ଦେଇପାରିବେ । ଏହାକୁ ବ୍ଲଡ ମନି ବୋଲି କୁହାଯାଇଥାଏ ।