ମଝି ସମୁଦ୍ରରେ ଭାରତର ପରାକ୍ରମ । ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ମାଲଟା ଜାହାଜକୁ କଲା ରକ୍ଷା ଭାରତୀୟ ନୌସେନା

500

କନକ ବ୍ୟୁରୋ: ପୁଣି ଥରେ ସମୁଦ୍ର ମଝିରେ ଦେବଦୂତ ସାଜିଛି ଭାରତ । ଜଳଦସ୍ୟୁଙ୍କ କବଳରୁ ମାଲଟାର ମାଲବାହୀ ଜାହାଜକୁ ରକ୍ଷା କରିବା ସହ ଏଥିରେ ଥିବା କ୍ରିୟୁ ସଦସ୍ୟଙ୍କ ଜୀବନ ବଞ୍ଚାଇଛି ଭାରତୀୟ ନୌସେନା । ଆରବ ମହାସାଗରରେ ଏମବି ରୁଏନ ଜାହାଜକୁ ସୋମାଲିଆ ଡାକୁ ଚାରିପଟୁ ଘେରି ଅପହରଣ କରିଥିବାବେଳେ ଏମାନଙ୍କୁ ରକ୍ଷା କରିଛି ଭାରତୀୟ ସେନା ।

  • ଗଭୀର ଜଳରାଶିରେ ଦମ ଦେଖାଇଲା ଭାରତ
  • ଜଳଦସ୍ୟୁଙ୍କ କବଳରୁ ରକ୍ଷା କଲା ନୌସେନା

ସୂଚନା ଅନୁସାରେ ଡିସେମ୍ବର ମାସରେ ଜାହାଜକୁ ଅପହରଣ କରିଥିଲେ ଜଳଦସ୍ୟୁ । ଏହାକୁ ବ୍ୟବହାର କରି ଜଳଦସ୍ୟୁମାନେ ଅନ୍ୟ ଜାହାଜ ଉପରେ ଆକ୍ରମଣ ଓ ଅପହରଣ ପାଇଁ ବ୍ୟବହାର କରୁଥିଲେ । ଏନେଇ ମାର୍ଚ୍ଚ ୧୫ରେ ଭାରତୀୟ ସେନା ନିକଟରେ ଖବର ପହଞ୍ଚିବା ପରେ ଆକ୍ସନ ମୋଡକୁ ଆସିିଥିଲା ନୌସେନା । ସମୁଦ୍ର ସୀମାରେ ପ୍ରହରୀ ସାଜିଥିବା ଭାରତୀୟ ନୌସେନା ଆରମ୍ଭ କରିଥିଲା ଅପରେସନ ।

  • ସେନା ଉପରକୁ ଆତଙ୍କୀଙ୍କ ଆକ୍ରମଣ ପ୍ରୟାସ
  • ଭାରତୀୟ ସେନାର ମୁହଁତୋଡ଼ ଜବାବ

ଜାହାଜରେ ଥିବା କ୍ରିୟୁ ସଦସ୍ୟଙ୍କୁ ରକ୍ଷା କରିବା ପାଇଁ ସେନା ଅପରେସନ କରୁଥିବାବେଳେ ଜଳଦସ୍ୟୁ ସେନା ଉପରେ ଆକ୍ରମଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରେସନ୍ ସମୟର ଭିଡିଓକୁ ଜାରି କରିଛି ଭାରତୀୟ ନୌସେନା । ତେବେ ଆତ୍ମସମପର୍ଣ ପାଇଁ ସେନା କହିବା ପରେ ଜାହାଜ ଛାଡି ଚାଲିଯାଇଥିଲେ ଜଳଦସ୍ୟୁ । ଲଗାତାର କିଛି ଦିନ ହେବ ସମୁଦ୍ରସୀମାରେ ହୁତୀ, ସୋମାଲିଆ ଓ ଅନ୍ୟାନ୍ୟ ଆତଙ୍କୀ ସଂଗଠନଙ୍କ ଉତ୍ପାତ ବୃଦ୍ଧି ପାଇଛି । ପ୍ରତିକ୍ଷଣ ଜଳଦସ୍ୟୁଙ୍କ ଉପରେ ତୀକ୍ଷ୍ମଣ ନଜର ରଖିଥିବା ଭାରତୀୟ ସେନା ଲଗାତାର ରେସ୍କ୍ୟୁ ଅପରେସନ ଜାରି ରଖିଛି । ଦୁଇ ଦିନ ପୂର୍ବରୁ ବାଙ୍ଗାଲାଦେଶ ମାଲବାହୀ ଜାହାଜକୁ ରକ୍ଷା କରିଥିଲା ଭାରତ ।