ଆଜି ଦେଶ ପାଳୁଛି ନୌସେନା ଦିବସ: ଜାଣନ୍ତୁ, ଡିସେମ୍ବର ୪ରେ କାହିଁକି ପାଳନ ହୁଏ ନୌସେନା ଦିବସ?

93

କନକ ବ୍ୟୁରୋ: ଭାରତୀୟ ନୌସେନା । ସମୁଦ୍ର ଭିତରେ ସେମାନେ ଆମକୁ ଦିଅନ୍ତି ସୁରକ୍ଷା । ସେମାନେ ଜଳପଥର ଜାଗ୍ରତ ପ୍ରହରୀ, ଶତ୍ରୁଙ୍କ ପାଇଁ ଅଭେଦ୍ୟ ପାଚେରୀ । ଜଳପଥରେ ଶତ୍ରୁଙ୍କୁ ମାତ୍ ଦେବାରେ ସେମାନେ ସିଦ୍ଧହସ୍ତ । ଶତ୍ରୁଙ୍କ ଉପରେ ସେମାନେ ନଜର ରଖିଥାନ୍ତି । ଆଉ ସେମାନଙ୍କୁ ସଂହାର କରନ୍ତି । ସମୁଦ୍ର ଭିତରେ ଶତ୍ରୁଙ୍କୁ ସାବାଡ କରନ୍ତି, ଆଉ ତାଙ୍କ ଅବୈଧ ପ୍ରବେଶକୁ ପଣ୍ଡ କରନ୍ତି । ନୌସେନାର ଲଢୁଆ ଯବାନଙ୍କ ବଳିଦାନକୁ ମନେ ପକାଇ ଆଜି ଦେଶ ପାଳୁଛି ଭାରତୀୟ ନୌସେନା ଦିବସ । ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ନୌସେନା ।
ତେବେ ଆସନ୍ତୁ ଜାଣିବା ଡିସେମ୍ବର ୪ ତାରିଖରେ କାହିଁକି ପାଳନ ହୁଏ ଭାରତୀୟ ନୌସେନା ଦିବସ… ଆଉ ଏହାର ଇତିହାସ ବିଷୟରେ ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ । ଏହି ଯୁଦ୍ଧରେ ନୌସେନାର ଭୂମିକା ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ୧୯୭୧ ଯୁଦ୍ଧ ପୂର୍ବରୁ ପାକିସ୍ତାନ ଓ ପୂର୍ବ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ପୂର୍ବ ପାକିସ୍ତାନରେ ନରସଂହାର କରୁଥିଲେ ପାକିସ୍ତାନୀ ସେନା । ଯାହା ଫଳରେ ଭାରତର କିଛି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଭଙ୍ଗ ହେଉଥିଲା । ଆଉ ଏଥିରେ ହସ୍ତକ୍ଷେପ କରିଥିଲା ଭାରତ । ଏହାକୁ ସହି ନପାରି ପାକିସ୍ତାନ ୩ ଡିସେମ୍ବର ୧୯୭୧ ମସିହାରେ ଭାରତର କିଛି ବାୟୁସେନା ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଆଉ ସେହିଠାରୁ ଆରମ୍ଭ ହୋଇଥିଲା ୧୯୭୧ ଯୁଦ୍ଧ ।

ଏହି ଆକ୍ରମଣର ବଦଲା ନେବା ପାଇଁ ଷଡଯନ୍ତ୍ର ରଚିଥିଲା ଭାରତ । ଆଉ ଏହାର ଦାୟିତ୍ୱ ଦିଆଯାଇଥିଲା ଭାରତୀୟ ନୌସେନାକୁ । ବଦଲା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ । ଏହି ଅପରେସନରେ ସାମିଲ ହୋଇଥଲେ ଆଇଏନଏସ ନିପାତ, ଆଇଏନଏସ ନିର୍ଘାତ, ଆଇଏନଏସ ଭୀର ଭଳି ଲଢୁଆ ଯୁଦ୍ଧ ଜାହାଜ । ୪ ଡିସେମ୍ବର ୧୯୭୧ ମସିହାରେ ଭାରତୀୟ ନୌସେନା ସମୁଦ୍ର ମଧ୍ୟରେ ଯାଇ କରାଚୀରେ ଥିବା ନାଭି ହେଡକ୍ୱାର୍ଟରକୁ ଟାର୍ଗେଟ କରିଥିଲା । ଆଉ ଆଖିବୁଜା ବୋମା ବର୍ଷଣ କରିଥିଲା । ଏଥିରେ ପାକିସ୍ତାନର ଅନେକ ଯୁଦ୍ଧ ଜାହାଜ ନଷ୍ଟ ହୋଇଥିବା ବେଳେ ଅନେକ ଯବାନଙ୍କ ମୃତ୍ୟୁ ହୋଇଥିଲା ।

ଆଉ ଏହି ଭଳି ଭାବରେ ଅପରେସନ ଟ୍ରାଇଡାଣ୍ଟକୁ ସଫଳ କରାଇଥିଲେ ଭାରତୀୟ ନୌସେନା । ଏହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଅବଦାନକୁ ମନେ ପକାଇ ସେବେଠାରୁ ଡିସେମ୍ବର ୪ ତାରିଖରେ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି ।

୧୬୧୨ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା ହୋଇଥିଲା । ବିଶ୍ୱରେ ଶକ୍ତିଶାଳୀ ନୌସେନାମାନଙ୍କ ମଧ୍ୟରେ ଭାରତୀୟ ନୌସେନା ସପ୍ତମ ସ୍ଥାନରେ ରହିଛି । ଏବେ ଭାରତୀୟ ନୌସେନା ପାଖରେ ୬୭ ହଜାର ୨୫୨ ସକ୍ରିୟ ସୈନ୍ୟ, ୭୫ ହଜାର ରିଜର୍ଭ ସେନା, ୧୫୦ ଲଢୁଆ ଯୁଦ୍ଧ ଜାହାଜ ଆଉ ଯୁଦ୍ଧପୋତ, ୩୦୦ ଯୁଦ୍ଧ ବିମାନ ସାମିଲ ଅଛି । ଏବେ ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଅତ୍ୟାଧୁନିକ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରାଯାଇଛି ।