ନାସାର ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ଆଷ୍ଟ୍ରୋନଟ ରାଜା ଚାରି । ରାଜାଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କଲା ନାସା

91

କନକ ବ୍ୟୁରୋ : ନାସାର ଆର୍ଟେମିଜ ଚନ୍ଦ୍ର ଅଭିଯାନରେ ସାମିଲ ହେଲେ ଭାରତୀୟ ଆମେରିକୀୟ ମହାକାଶଚାରୀ ରାଜା ଚାରି । ଆମେରିକା ବାୟୁସେନାରେ କର୍ଣ୍ଣେଲ ଭାବେ କାର୍ଯ୍ୟରତ ରାଜା ଚାରିଙ୍କ ସମେତ ୧୮ଜଣଙ୍କ ନାଁ ଘୋଷଣା କରିଛି ନାସା । ଏହି ଟିମରେ ଅଧାରୁ ଅଧିକ ମହିଳା ମହାକାଶଚାରୀ ରହିଛନ୍ତି । ଏହି ମାନଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଜଣେ ମହିଳା ମହାକାଶଚାରୀ ୨୦୨୪ରେ ଚନ୍ଦ୍ରରେ ଅବତରଣ କରିବେ । ଏବଂ ଜଣେ ପୁରୁଷ ମହାକାଶଚାରୀ ମଧ୍ୟ ଚନ୍ଦ୍ରରେ ଅବତରଣ କରିବେ ।

ନାସାର ଏହି ଆର୍ଟେମିଜ ଚନ୍ଦ୍ର ଅଭିଯାନ ପାଇଁ ମନୋନୀତ ହୋଇଥିବା ରାଜା ଚାରି ହେଉଛନ୍ତି ଜଣେ ଭାରତୀୟ ଆମେରିକୀୟ । ବାୟୁସେନାରେ କର୍ଣ୍ଣେଲ ଭାବେ କାମ କରୁଥିବା ରାଜା ୨ହଜାରରୁ ଅଧିକ ସମୟ ଧରି ଆକାଶରେ ଉଡାଣ ଭରିସାରିଛନ୍ତି । ନାସାର ଏହି ମାନବ ରହିତ ଚନ୍ଦ୍ର ଅଭିଯାନ ପାଇଁ ୧୮ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାଜା ଚାରି ।

୪୩ବର୍ଷୀୟ ରାଜା ଚାରି ଆମେରିକାର ଏୟାରଫୋର୍ସ ଏକାଡେମୀ , ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଓ ୟୁଏସ ନାଭାଲ ଟେଷ୍ଟ ପାଇଲଟ ସ୍କୁଲରୁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ରାଜା ଚାରି ହେଉଛନ୍ତି ଏକମାତ୍ର ଭାରତୀୟ ବଂଶୋଦ୍ଭବ । ୨୦୧୭ରୁ ରାଜା ଚାରି ନାସା ସହିତ ଜଡିତ । ଆଷ୍ଟ୍ରୋନୋଟିକାଲ ଇଂଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଏରୋନଟିକ୍ସ ଏବଂ ଆଷ୍ଟ୍ରୋନଟିକ୍ସରେ ସ୍ନାତକୋତର ହାସଲ କରିଛନ୍ତି ।

ଆମେରିକାର ଉପରାଷ୍ଟ୍ରପତି ତଥା ନ୍ୟାସନାଲ ସ୍ପେସ କାଉନସିଲର ଅଧ୍ୟକ୍ଷ ମାଇକ ପେନ୍ସ ବୁଧବାର ଦିନ ଏହି ମହାକାଶଚାରୀଙ୍କ ସହ ପରିଚିତ ହୋଇଥିଲେ । ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଂଟରରେ ଏହି ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଥିଲା ।
ନାସାର ଏହି ଚନ୍ଦ୍ର ଅଭିଯାନରେ ଆହୁରୀ ଅନେକ ମହାକାଶଚାରୀ ସାମିଲ ହେବେ । ୨୦୨୪ସୁଦ୍ଧା ଏହି ଚନ୍ଦ୍ରାବତରଣ ଯୋଜନା ପାଇଁ ଲକ୍ଷ୍ୟ ରଖାଯାଇଛି ।