ଇଣ୍ଡିଆନ ଆଇଡଲରେ ଚମକିଲେ ଓଡିଆ ଝିଅ ଚେଲସି । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର

6,681

କନକ ବ୍ୟୁରୋ: ଇଣ୍ଡିଆନ ଆଇଡଲରେ ଚମକୁଛନ୍ତି ଓଡିଆ ଝିଅ ଚେଲସି । ତାଙ୍କ ସଙ୍ଗୀତର ସ୍ୱରରେ ଝୁମୁଛନ୍ତି ସବୁ ଦର୍ଶକ । ସୋନି ଟିଭିରେ ପ୍ରସାରିତ ରିଆଲିଟି ସୋ ଇଣ୍ଡିଆନ ଆଇଡଲରେ ଟପ-୧୫ରେ ରହିଛନ୍ତି କଟକ ଶିଖରପୁର ନଦୀକୂଳ ସାହିର ଚେଲସି ବେହେରା । ‘ଗୋଲଡେନ ଟିକେଟ ଓ ମାଇକ’ ସହ ଚେଲସି ଟପ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି ।

ତେବେ ୧୪ ବର୍ଷୀୟ ଏହି କଣ୍ଠଶିଳ୍ପୀ ଥିଏଟର ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି । ଅଡିସନ ରାଉଣ୍ଡରେ ‘ମେ ପରେସାନ’ ଗୀତ ଗାଇ ଗୋଲଡେନ ଟିକଟ ପାଇଥିବା ଚେଲସି ଥିଏଟର ରାଉଣ୍ଡରେ ମଧ୍ୟ ବିଚାରକଙ୍କ ମନଜିଣି ଥିଲେ । ତେବେ ସୋ’ର ବିଚାରକ ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦଲାନୀ ଚେଲସୀଙ୍କ ଗୀତକୁ ଭାରି ପସନ୍ଦ କରୁଛନ୍ତି ।

ଖାଲି ବିଚାରକଙ୍କୁ ନୁହେଁ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଚେଲସୀଙ୍କ ଗୀତ ପସନ୍ଦ ଆସିଛି । ଇଣ୍ଡିଆନ ଆଇଡଲ ୧୧ତମ ସଂସ୍କରଣରେ ଟପ-୧୫ରେ ଥିବା ୪ ଜଣ ପ୍ରତିଯୋଗୀଙ୍କ ସୁମଧୁର ସଙ୍ଗୀତ ସଚିନଙ୍କୁ ଭାରି ଭଲ ଲାଗିଛି । ତେବେ ୪ ଜଣଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଫଟୋକୁ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି ସଚିନ ।

ତେବେ ପିଲା ବେଳୁ ବାପାଙ୍କୁ ହରାଇଥିବା ଚେଲସି ବାପାଙ୍କ ଇଚ୍ଛା ପୂରଣ ପାଇଁ ସଙ୍ଗୀତକୁ ଆପଣେଇଥିଲେ । ମାଆଙ୍କ ପ୍ରେରଣାରେ ସେ ଆଜି ଏହି ସ୍ଥାନକୁ ଯାଇ ପାରିଛନ୍ତି । ପାଠ ପଢା ଚାପ ଥିବାରୁ ଦିନକୁ ମାତ୍ର ୨ ଘଣ୍ଟା ସଂଗୀତ ଅଭ୍ୟାସ କରୁଥିବା ଚେଲସୀ ପୂର୍ବରୁ ଇଣ୍ଡିଆନ ଆଇଡଲ ଜୁନିୟର, ରାଇଜିଂ ଷ୍ଟାର ଏବଂ ସାର୍ଥକ ଟିଭିରେ ପ୍ରସାରିତ ସାରେଗାମାପାକେ ଅଂଶଗ୍ରହଣ କରିଛନ୍ତି । ସେପଟେ ଚେଲସୀଙ୍କ ସଫଳତା କାମନା କରିଛନ୍ତି ସାଙ୍ଗ ଓ ସମ୍ପର୍କୀୟ ।