କନକ ବ୍ୟୁରୋ : ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ୧୨ତମ ସଂସ୍କରଣର ବିଜେତା ହୋଇଛନ୍ତି ସୁଗାୟକ ପବନଦୀପ ରାଜନ୍ । ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପବନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି । ସେ ପୁରସ୍କାର ସ୍ବରୂପ ‘ଇଣ୍ଡିଆନ୍ ଆଇଡଲ୍’ ଟ୍ରଫି ସହ ୨୫ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇଫ୍ଟ କାର ପାଇଛନ୍ତି ।
୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେଷ ହୋଇଛି । ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିସ, ପଂଚମ ସ୍ଥାନରେ ନିହାଲ ଓ ଷଷ୍ଠ ସ୍ଥାନରେ ସନମୁଖ ପ୍ରିୟା ରହିଥିଲେ । ଏହି ୬ ଜଣ ପ୍ରତିଯୋଗୀ ଫାଇନାଲକୁ ଯାଇଥିଲେ । ପ୍ରଥମ ଥର ପାଇଁ ଫାଇନାଲରେ ୫ ଜଣଙ୍କ ବଦଳରେ ୬ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଥିଲା ।
ରିଆଲିଟି ସୋ’ ଜିତିବା ପରେ ପବନଦୀପ କହିଛନ୍ତି, “ଇଣ୍ଡିଆନ୍ ଆଇଡଲ୍ ସିଜନ ୧୨ର ଟାଇଟଲ୍ ଜିତିବା ମୋ ପାଇଁ ଅବିଶ୍ୱସନୀୟ । ମତେ ଲାଗୁଛି ସତେ ଯେପରି ମୁଁ ସ୍ୱପ୍ନ ଦେଖୁଛି ଏବଂ ବିଜୟ ବାସ୍ତବତା ନୁହେଁ । ଏହା ମୋ ପାଇଁ ଏକ ବଡ଼ ସମ୍ମାନ । ମୋର ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ଏବଂ ମୋତେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଜିତାଇଛନ୍ତି । ଏ ଟ୍ରଫି ମୋର ନୁହେଁ, ନିର୍ମାତାଙ୍କ ଠାରୁ ଆରମ୍ଭ କରି ଆମର ବିଚାରକ,ପ୍ରଶିକ୍ଷକ ଏବଂ ମୋର ସାଥୀ ପ୍ରତିଯୋଗୀ, ଏହା ସମସ୍ତଙ୍କର । ଏହି ବିଜୟ ମୋ ଜୀବନର ଅନୁଭବ ସର୍ବୋତ୍ତମ ।’’
ପବନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା ଏବଂ କଣ୍ଠଶିଳ୍ପୀ ହେବା ସହ ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ । ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ଦକ୍ଷତାର ସହ ବଜାଇ ପାରନ୍ତି । ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ସୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ ।