ଚପଲ ପଲିସରୁ ଇଣ୍ଡିଆନ୍ ଆଇଡଲ୍ ଚାମ୍ପିୟନ୍ । ଗରିବୀ ଆଗରେ ହାର ମାନିଲା ଗୀତ ଗାଇବାର ଝୁଙ୍କ୍, ବିନା ଗୁରୁରେ ବି ବିଜେତା ବନିଲେ ସନ୍ନି ହିନ୍ଦୁସ୍ତାନୀ ।

598

କନକ ବ୍ୟୁରୋ : ଜୋତା ପଲିସରୁ ଇଣ୍ଡିଆନ୍ ଆଇଡଲ ଚାମ୍ପିୟନ୍ । ସନି ହିନ୍ଦୁସ୍ତାନୀଙ୍କ ସଫଳତାର କାହାଣୀ । କୁହାଯାଏ ଯଦି ଲକ୍ଷ୍ୟପଥ ଅଟଳ, ତେବେ ଯେତେ ବାଧାବିଘ୍ନ ଆସୁନା କାହିଁକି, ସଫଳତା ନିଶ୍ଚୟ ମିଳିଥାଏ । ତାହା ନହେଲେ ଯିଏ ଦିନେ ରାସ୍ତା କଡରେ ଜୋତା ପଲିସ କରୁଥିଲେ, ସିଏ ସଙ୍ଗୀତର ମହାସଂଗ୍ରାମରେ ବିଜେତା ବନିଥାନ୍ତେ ବା କେମିତି ।

ସନୀ ହିନ୍ଦୁସ୍ତାନୀ । ଘର – ପଞ୍ଜାବ । ଇଣ୍ଡିଆନ ଆଇଡଲ୍ ସିଜିନ୍ ୧୧ର ବିଜେତା । ଲୋକପ୍ରିୟ ଟେଲିଭିଜନ୍ ସିଙ୍ଗିଙ୍ଗ ରିୟଲିଟି ସୋ’ ଇଣ୍ଡିଆନ ଆଇଡଲର ଗ୍ରାଣ୍ଡ ଫାଇନାଲରେ ୪ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବିଜେତା ବନିଛନ୍ତି ସନ୍ନି । ସବୁଠାରୁ ବଡ କଥା ହେଉଛି, କୌଣସି ଅନୁଷ୍ଠାନ କିମ୍ବା କୌଣସି ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିନାହାନ୍ତି ସନ୍ନି । ସନ୍ନିଙ୍କ ସଫଳତାର ଏହି ଯାତ୍ରା ଏତେ ସହଜ ନଥିଲା । ତାଙ୍କ ଦୁଃଖ ଯନ୍ତ୍ରଣା ଭରା ଜୀବନର କାହାଣୀ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

ପରିବାର କହିଲେ ମା’ ପୁଅ ଦୁଇଜଣ । ଅଭାବ ଅନଟନ ଭିତରେ ଗୀତ ଶିଖିବା ତ ଦୂରର କଥା, ଦୁଇଓଳି ଦୁଇମୁଠା ଖାଇବାକୁ ବି ମିଳେନାହିଁ । ପରିସ୍ଥିତିର ଚାପରେ ପଡି ରାସ୍ତା କଡରେ ଜୋତା ପଲିସ କରୁଥିଲେ ସନ୍ନି । ବଂଚିବାକୁ ହେଲେ କାମ ତ କରିବାକୁ ପଡିବ । ହେଲେ ଜୋତା ପଲିସରୁ ଏମିତି କେତେ ଟଙ୍କା ଯେ ରୋଜଗାର ହେବ । ପରିବାର ଚଳାଇବାକୁ ସନ୍ନିଙ୍କ ମା ମଧ୍ୟ ବେଲୁନ୍ ବିକ୍ରି କରନ୍ତି ।

ପିଲାଟି ଦିନରୁ ଜଣେ ଭଲ ସିଙ୍ଗର ହେବାକୁ ଲକ୍ଷ୍ୟ ରଖିଥିଲେ ସନ୍ନି । କିନ୍ତୁ ଦୁଃଖ ଅଭାବର କଳାବାଦଲ ସନିଙ୍କ ସବୁ ସ୍ୱପ୍ନ ଢାଙ୍କିଦେଇଥିଲା । କିନ୍ତୁ ନିଜ ଲକ୍ଷ୍ୟପଥରେ ଅଟଳ ଥିଲେ ସନ୍ନି । ଆଉ ମନରେ ଦୃଢ ଆତ୍ମବିଶ୍ୱାସ ରଖି ଆସିଥିଲେ ଇଣ୍ଡିଆନ୍ ଆଇଡଲର ଅଡିସନକୁ । ଆଉ ପ୍ରଥମ ଗୀତରୁ ହିଁ ସମସ୍ତଙ୍କ ମନ କିଣିନେଇଥିଲେ ସନି । ଗୋଟିଏ ପରେ ଗୋଟିଏ ରାଉଣ୍ଡ ସଫଳତାର ସହ ଅତିକ୍ରମ କରି ଶେଷରେ ଇଣ୍ଡିଆନ୍ ଆଇଡଲର ବିଜେତା ବନିଛନ୍ତି ସନି ହିନ୍ଦୁସ୍ତାନୀ ।

ସନି ହିନ୍ଦୁସ୍ତାନୀଙ୍କୁ ଇଣ୍ଡିଆନ୍ ଆଇଡଲ-୧୧ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହିତ ଟାଟା ଅଲଟ୍ରୋଜ୍ କାର ଓ ହିମେଶ ରେସମିୟାଙ୍କ ପରବର୍ତ୍ତୀ ଫିଲ୍ମ ଓ ଟି-ସିରିଜରେ ଗୀତ ଗାଇବାର ମଧ୍ୟ ସୁଯୋଗ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ହିମେଶ ରେସମିୟା, ନେହା କକର, ବିଶାଲ ଦଦଲାନି ବିଚାରକ ଭାବେ ଯୋଗ ଦେଇଥିଲେ । ଏବଂ ଗ୍ରାଣ୍ଡ ଫାଇନାଲରେ ବଲିଉଡ୍ ଅଭିନେତ୍ରା ଦୀପିକା ପାଦୁକୋନ୍ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ ।