କନକ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟରେ କମାଲ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଦ ଥାପିଛି ଟିମ ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ଧୂଳି ଚଟାଇ କାଂସ୍ୟ ପଦକ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏଭଳି ଇତିହାସ ରଚି ଫେରିଥିଲା ଟିମ ଇଣ୍ଡିଆ ।  ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ଶୋ’ରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ହକି ଟିମ । ଏଠାରେ ପହଞ୍ଚିବା ହକି ଟିମ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମ ଇଣ୍ଡିଆର ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ବିଶାଳ ରୋଡ ଶୋ’ କରି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସରେ ଚମକିବା ପରେ ଟିମ୍ ଇଣ୍ଡିଆ ପାଇଁ ୪ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ଓଡ଼ିଶା ସରକାର । ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା । ଏହି ସଫଳତା ପଛରେ ଓଡ଼ିଶା ସରକାରଙ୍କ ମଧ୍ୟ ଅବଦାନ ରହିଛି । ଏହିକ୍ରମରେ ପୁରା ଟିମ ଓ ସପୋର୍ଟ ଷ୍ଟାଫଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ରୋଡ ଶୋ’ ସମୟରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମିଥିଲା ।

ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରିଥିଲେ ଓଡ଼ିଆ ପୁଅ ରୋହିଦାସ । ଭାରତୀୟ ଟିମରେ ସେ ଷ୍ଟ୍ରାଇକର ଭାବରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମର ଅଂଶ ଥିଲେ ଅମିତ । ସେମିଫାଇନାଲରେ ଭାରତ ଜର୍ମାନୀଠାରୁ ପରାଜିତ ହୋଇ ବ୍ରୋଞ୍ଜ ମେଡାଲ ପାଇଁ ସ୍ପେନ ସହ ମ୍ୟାଚ ଖେଳିଥିଲା । ତେବେ ରେଡ କାର୍ଡ ପାଇଥିବାରୁ ସେମିଫାଇନାଲ ମ୍ୟାଚ ଖେଳି ପାରିନଥିଲେ ଅମିତ ରୋହିଦାସ । ତେବେ କାଂସ୍ୟ ପଦକ ମ୍ୟାଚରେ ନିଜର ଜଲୱା ଦେଖାଇଥିଲେ । ଏହି ମ୍ୟାଚକୁ ୩-୨ଗୋଲରେ ଜିତି ନେଇଥିଲା ଭାରତ ।