ଓଡିଶାରେ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି : ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ହକି ଖେଳାଳିଙ୍କୁ ଭେଟିବେ

121

କନକ ବ୍ୟୁରୋ : ଓଡିଶାରେ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ହକି ଖେଳାଳି । ଦିନ ୩ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ଭାରତୀୟ ହକି ଟିମ୍ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ହକି ଖେଳାଳିଙ୍କୁ ଭେଟିବେ । ଖେଳାଳି ରହିବା ପାଇଁ ରାଜଧାନୀର ସ୍ୟାଣ୍ଡି ଟାୱାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି ।

ସେହିପରି ମହିଳା ଦଳ ମଧ୍ୟ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ । ବ୍ରୋଂଜ ମେଡାଲ ମ୍ୟାଚରେ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ହୃଦୟ ଜିତିଥିଲେ ମହିଳା ହକି ଖେଳାଳି । ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବାବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି । ହୋଟେଲରେ ହକି ଖେଳାଳିଙ୍କ ରହଣି ବେଳେ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନର ବ୍ୟବସ୍ଥା ହୋଇଛି । ହୋଟେଲ ପକ୍ଷରୁ ଖେଳାଳିଙ୍କ ପାଇଁ ମେନ୍ୟୁ ପ୍ରସ୍ତୁତ କରାଯାଇଛି ।

ସେପଟେ ବାଲୁକା କଳା ମାଧ୍ୟରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ହକି ଖେଳାଳିଙ୍କୁ ପାଇଁ ଶୁଭେଚ୍ଛାର ବାର୍ତା ଦେଇଛନ୍ତି ବାଲୁକା ଶିଳ୍ପୀ । ବାଲୁକା କଳାରେ ଖେଳାଳିଙ୍କୁ ସ୍ୱାଗତ କରିବା ସହ ଓଡ଼ିଶା ହକି ପାଇଁ ଗର୍ବିତ ବୋଲି ଶିଳ୍ପୀ ବାଲୁକା କଳାରେ ଲେଖିଛନ୍ତି । ଏହା ସହ ବାଲୁକା କଳାରେ ହକି ଖେଳାଳିଙ୍କୁ ଢେର ସାରା ଭଲପାଇବା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।