କନକ ବ୍ୟୁରୋ: ସୁପରସଣ୍ଡେରେ ଭାରତୀୟ ହକି ଟିମର ସୁପର ସୋ’। ରୋମାଞ୍ଚକର ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ସୁଟଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସେମିଫାଇନାଲରେ ପହଞ୍ଚିଛି ଭାରତ । ୬୦ ମିନିଟରେ ସ୍ଥିତି ୧-୧ରେ ବରାବର ରହିବାରୁ ପେନାଲ୍ଟି ସୁଟଆଉଟର ସାହାରା ନିଆଯାଇଥିଲା । ସୁଟଆଉଟରେ ଭାରତ, ବ୍ରିଟେନକୁ ୪-୨ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏହାସହ ଭାରତ ପାଇଁ ପଦକ ଆଶା ବି ବଢିଛି ।

  • ହକି ସେମିଫାଇନାଲରେ ଟିମ୍ ଇଣ୍ଡିଆ
  • ପ୍ୟାରିସରୁ ଆସିବ ଆଉ ଏକ ପଦକ !

ପ୍ୟାରିସରେ ଚମକିଲା ଟିମ୍ ଇଣ୍ଡିଆ। ସୁପର ସଣ୍ଡେରେ ଦେଖିବାକୁ ମିଳିଲା ସୁପରହିଟ୍ ମୁକାବିଲା। ରବିବାର ରାଜ କୁମାର ପାଲଙ୍କ ପାଦ ଯେତିକି ଆଗକୁ ବଢୁଥିଲା, ହକି ପ୍ରେମୀଙ୍କ ହାର୍ଟବିଟ୍ ସେତିକି ଅଧିକ ବଢୁଥିଲା। ବ୍ରିଟେନର ଗୋଲକିପରଙ୍କୁ ମାତ୍ ଦେଇ ଗୋଲପୋଷ୍ଟରେ ଯେତେବେଳେ ରାଜ କୁମାରଙ୍କ ବଲ ପହଞ୍ଚିଥିଲା ସେତେବେଳେ ଝୁମି ଉଠିଥିଲା ପୂରା ଷ୍ଟାଡିୟମ। ଆଉ ୭୩୩୦ କିଲୋମିଟର ଦୂର ଭାରତରେ ମଧ୍ୟ ଆରମ୍ଭ ହୋଇଥିଲା ସେଲିବ୍ରେସନ। ଶକ୍ତିଶାଳୀ ବ୍ରିଟେନକୁ ସୁଟଆଉଟରେ ୪-୨ ଗୋଲରେ ହରାଇ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପହଞ୍ଚିଥିଲା ହରମନପ୍ରୀତ ବାହିନୀ। ଏହାସହ ଭାରତ ପାଇଁ ଅଲିମ୍ପିକ୍ସରେ ବଢିଛି ପଦକ ଆଶା।

  • ସୁଟଆଉଟରୁ ମିଳିଲା ସେମିଫାଇନାଲ ଟିକେଟ
  • ସୁରକ୍ଷାକବଚ ସାଜି ଛିଡା ହୋଇଥିଲେ ଶ୍ରୀଜେଶ

ବ୍ରିଟେନ ବିପକ୍ଷ ମ୍ୟାଚରେ ଭାରତକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା....

  • ମ୍ୟାଚର ୧୭ତମ ମିନିଟରେ ହିଁ ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ
  • ମ୍ୟାଚର ଅବଶିଷ୍ଟ ୪୩ ମିନିଟ ଯାଏଁ ୧୦ ଜଣରେ ଖେଳିଥିଲା ଭାରତ
  • ଭାରତୀୟ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା ବ୍ରିଟେନ

ଭାରତୀୟ ଗୋଲପୋଷ୍ଟକୁ କିନ୍ତୁ ଭେଦ କରିବା ସହଜ ନଥିଲା। କାରଣ ଗୋଲପୋଷ୍ଟରେ ଛିଡା ହୋଇଥିଲେ ଭାରତର ୱାଲ ତଥା ସୁରକ୍ଷାକବଚ ପି.ଆର ଶ୍ରୀଜେଶ । ବ୍ରିଟେନର ପ୍ରତିଟି ଆକ୍ରମଣକୁ ପ୍ରତିରୋଧ କରି ଭାରତ ପାଇଁ ସେ ସାଜିଥିଲେ ସଙ୍କଟମୋଚକ । ତେବେ ୧୦ ଜଣଙ୍କୁ ନେଇ ମ୍ୟାଚ୍ ଖେଳୁଥିବା ଭାରତ ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ବ୍ରିଟେନକୁ ନିଜ ବ୍ୟୁହ ଭେଦ କରିବାକୁ ସୁଯୋଗ ଦେଇନଥିଲା। ୬୦ ମିନିଟ୍ ଶେଷ ସୁଦ୍ଧା ୧-୧ରେ ମ୍ୟାଚ ଡ୍ର ହେଲା, ତା ପରେ ସମସ୍ତଙ୍କର ନଜର ଅଟକି ରହିଥିଲା ସୁଟ୍ ଆଉଟ ଉପରେ। କିଏ ମାରିବ ବାଜି, ପଦକ ରସରେ ଆଗକୁ ବଢିବ କିଏ ? ସବୁ କିଛି ନିର୍ଭର କରିଥିଲା ଏହି ସୁଟ ଆଉଟ ଉପରେ। ଆଉ ଶେଷରେ ବ୍ରିଟେନର ୪ ସୁଟ୍ ଆଉଟରୁ ୨ଟିକୁ ଅଟକାଇ ଗୋଲକିପର ପି.ଆର ଶ୍ରୀଜେଶ ଟିମ୍ ଇଣ୍ଡିଆକୁ ସେମିଫାଇନାଲ ଟିକେଟ ଭେଟି ଦେଇଥିଲେ।

ସୂଚନଯୋଗ୍ୟ ଯେ, ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇଥିବା ଟିମ୍ ଇଣ୍ଡିଆର ନଜର ଏଥର ସ୍ୱର୍ଣ୍ଣ ପଦକ ଉପରେ। ଆସନ୍ତା ୬ ତାରିଖରେ ଫାଇନାଲ ଟିକେଟ ପାଇଁ ଖେଳିବ ଭାରତ।