ଟୋକିଓରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ହକି ଟିମ୍ ।

637

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଡବଲ ଖୁସି ଖବର । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ମେଡାଲ ଜିତିଥିବା ବେଳେ ହକି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲକୁ ପ୍ରବେଶ କରିଛି ଭାରତୀୟ ହକି ଟିମ୍ । ଏହି ମଯାଚରେ ଗ୍ରେଟ ବ୍ରିଟେନକୁ 3-1 ଗୋଲରେ ହରାଇଛି ଭାରତ । ଅଲିମ୍ପିକ୍ସରେ ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା ଭାରତ । ପୁଲ୍-ଏରେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା ଦଳ ।

ଟୋକିଓ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଆଜି ଗ୍ରେଟ୍ ବ୍ରିଟେନକୁ ଭେଟିଥିଲା ଭାରତୀୟ ହକି ଦଳ । ୪୧ ବର୍ଷ ପରେ ସେମିଫାଇନାଲ ଟିକେଟ୍ ହାସଲ ପାଇଁ ଜୋରଦାର ଫାଇଟ୍ କରିଥିଲା ଟିମ୍ ଇଣ୍ଡିଆ । ୮ ଥର ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳ ପାଖରେ ୪୧ ବର୍ଷ ପରେ ସେମିଫାଇନାଲ ଖେଳିବା ପାଇଁ ସୁଯୋଗ ମିଳିଛି । ଶେଷ ଥର ଭାରତୀୟ ଦଳ ୧୯୮୦ରେ ମୋସ୍କୋ ଅଲିମ୍ପିକ୍ସର ସେମିଫାଇନାଲ ଖେଳି ବିଜେତା ହୋଇଥିଲା ।

ସେପଟେ ଗ୍ରେଟ୍ ବ୍ରିଟେନ୍ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନ ଅତୁଟ ରଖିବାକୁ ଆଜି ଜୋରଦାର ପ୍ରୟାସ କରିଥିଲା । କିନ୍ତୁ ଭାରତୀୟ ଖେଳାଳୀଙ୍କ ଜୋଶ ଆଗରେ ମ୍ୟାଚ୍ ଜିତିପାରିନଥିଲା ଗ୍ରେଟ୍ ବ୍ରିଟେନ୍ ।