ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର । ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ଏବେ ଚର୍ଚ୍ଚାରେ ।

162

କନକ ବ୍ୟୁରୋ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ଚର୍ଚ୍ଚାକୁ ଆସିଛି ଏକ ନୂଆ ମାଇକ୍ରୋ ବ୍ଲଗିଙ୍ଗ ଆପ୍ ‘କୁ’ । ଟ୍ୱିଟରର ବିକଳ୍ପ ଭାବେ ଏହା ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ପ୍ଲେ ଷ୍ଟୋରରୁ ଏହାକୁ ବହୁଳ ଭାବେ ଡାଉନଲୋଡ କରାଯାଇଛି । ସୋସିଆଲ ମିଡିଆରେ ମତ ପ୍ରକାଶ କରିବା ଏବଂ ପ୍ରତିକ୍ରିୟା ରଖିବାର ଏକ ପ୍ରମୁଖ ମାଧ୍ୟମ ଟ୍ୱିଟର ପାଲଟି ସାରିଥିବାବେଳେ ଏହି ଆମେରିକୀୟ କମ୍ପାନି ଏବେ ଭାରତ ସରକାରଙ୍କ ଟାର୍ଗେଟକୁ ଚାଲିଆସିଛି । ଆଉ ଏହାରି ଭିତରେ ଟ୍ୱିଟରକୁ ଟକ୍କର ଦେଉଛି ଦେଶୀ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ- ‘କୁ’ ଆପ୍ ।

ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେକୁ ଆପ୍ ଉପଲବ୍ଧ ରହିଛି । ଏହାର ୱେବପେଜ ମଧ୍ୟ ରହିଛି । ଭାରତ ସରକାରଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚରେ ହୋଇଥିବା ଆତ୍ମନିିର୍ଭର ଭାରତ ଆପ ପ୍ରତିଯୋଗିତାରେ ଏହି ‘କୁ’ ଆପ୍ଲିକେସନ ବିଜୟୀ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଏହାର ଉଲ୍ଲେଖ କରିଥିଲେ । ସତେବେଳେ ଏହା ଲୋକଙ୍କ ଦୃଷ୍ଟିକୁ ସେତେଟା ଆସିନଥିଲା । କିନ୍ତୁ ହଠାତ ଏହି ଆପଟି ଏବେ ଚର୍ଚ୍ଚାକୁ ଚାଲିଆସିଛି ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପୀୟୁଷ ଗୋଏଲ ଟ୍ୱିଟ କରି ସେମାନେ ‘କୁ’ ଆପ ବ୍ୟବହାର କରୁଥିବା ଲେଖିଛନ୍ତି । ଏପରିକି ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକା କମ୍ପାନି ଟ୍ୱିଟର ସହିତ ବିବାଦ ପରେ ଏକାଧିକ ମନ୍ତ୍ରୀ, ସାଂସଦ ଓ ସେଲିବ୍ରିଟି ଏହି ଦେଶୀ ଆପକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ।

ଅପ୍ରେମୟ ରାଧାକୃଷ୍ଣ ଓ ମୟଙ୍କ ବିଦାୱତକା ଏହି ‘କୁ’ ଆପ୍କୁ ପ୍ରସ୍ତୁତ କରିଛନ୍ତି । ‘କୁ’ ଆପ୍ରେ ଟ୍ୱିଟର ଭଳି ଫିଚର୍ସ ରହିଛି । ବିଭିନ୍ନ ବ୍ୟକ୍ତିଙ୍କୁ ଏଥିରେ ଫଲୋ କରାଯାଇପାରିବ । ସେହିପରି ବ୍ରାଉଜ କରାଯାଇ ପାରିବ । ମେସେଜକୁ ଅକ୍ଷରରେ କିମ୍ବା ଅଡିଓ, ଭିଡିଓ ମାଧ୍ୟମରେ ପଠାଇ ହେବ । ଇଂରାଜୀ ସମେତ ୬ଟି ଭାରତୀୟ ଭାଷାର ବିକଳ୍ପ ମଧ୍ୟ ଏହି ଦେଶୀ ଆପରେ ରହିଛି । ‘କୁ’ ଆପକୁ ୩୦ ଲକ୍ଷ ଥର ଡାଉନଲୋଡ କରାଯାଇ ସାରିଥିବା ଜଣାପଡିଛି ।