୨୮ଟି ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇଲା ଭାରତ, ଜାଣନ୍ତୁ କ’ଣ ପଡିବ ପ୍ରଭାବ

୨୮ଟି ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇଲା ଭାରତ, ଜାଣନ୍ତୁ କ’ଣ ପଡିବ ପ୍ରଭାବ

SOURCE : The Indian Express

ଆମେରିକାରୁ ଆମଦାନୀ ହେଉଥିବା ୨୮ଟି ସାମଗ୍ରୀ ଉପରେ ଭାରତ ଆଜିଠାରୁ ଅଧିକ ଶୁଳ୍କ ଲାଗୁ କରିଛି। ପୂର୍ବରୁ ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବ ବୋଲି ଭାରତ ଘୋଷଣା କରିଥିଲା। କିନ୍ତୁ ଏଥିରୁ ମାଛକୁ ବାଦ୍ ଦେଇଛି। ଫଳରେ ୨୮ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଭାରତ ବଢ଼ାଇଛି। ଭାରତର ଆମଦାନୀ ଉପରେ ଟ୍ରମ୍ପ ପ୍ରଶାସନ ଶୁଳ୍କ ବୃଦ୍ଧି କରିବା ଏବଂ ଭାରତକୁ ପ୍ରଦାନ କରୁଥିବା ଜିଏସପି (ଜେନେରାଲାଇଜଡ୍ ସିଷ୍ଟମ ଅଫ୍ ପ୍ରିଫରେନ୍ସ) ସୁବିଧା ଚଳିତ ମାସ ୫ ତାରିଖରୁ ପ୍ରତ୍ୟାହାର କରିନେବାରୁ ଭାରତ ଏଭଳି ପଦକ୍ଷେପ ନେଇଛି।

publive-image

ଗତବର୍ଷ ଜୁନରେ ଆମେରିକା ଭାରତରୁ ଆମଦାନୀ ହେଉଥିବା ଆଲୁମିନିୟମ ଏବଂ ଇସ୍ପାତ ଭଳି ସାମଗ୍ରୀର ଟିକସ ବଢ଼ାଇଥିଲା। ଏହାକୁ ଭାରତ ଦୃଢ଼ ବିରୋଧ କରି ଆସୁଥିଲା। ଭାରତ ସରକାର ଗତବର୍ଷ ଜୁନ୍ ୨୧ ତାରିଖରୁ ଏହା ବିରୋଧରେ ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇବ ବୋଲି ନିଷ୍ପତ୍ତି ନେଇଥିଲେ ମଧ୍ୟ ଏହାକୁ ୭ ଥର ଘୁଞ୍ଚାଇ ଥିଲା। ଆମଦାନୀ ଶୁଳ୍କ ବୃଦ୍ଧି ହେବା ଫଳରେ ଆମେରିକାରୁ ଭାରତକୁ ଆସୁଥିବା ୨୮ଟି ସାମଗ୍ରୀର ମୂଲ୍ୟ ମହଙ୍ଗା ହୋଇଯିବ। ଅଖରୋଟର ଆମଦାନୀ ଶୁଳ୍କକୁ ୩୦ ପ୍ରତିଶତରୁ ୧୨୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ସେହିଭଳି ଚଣା, ମସୁର ଡାଲି ଆଦିର ଶୁଳ୍କ ୩୦ ପ୍ରତିଶତରୁ ୭୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଏତଦବ୍ୟତୀତ ଅନ୍ୟ ଯେଉଁ ସାମଗ୍ରୀ ଗୁଡ଼ିକର ଶୁଳ୍କ ବୃଦ୍ଧି କରାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ଲୌହ ଏବଂ ଇସ୍ପାତ ସାମଗ୍ରୀ, ସେଓ, ଆଲୟ ଷ୍ଟିଲ, ଟ୍ୟୁବ ଏବଂ ପାଇପ୍ ଫିଟିଂ, ସ୍କୃ, ବୋଲ୍ଟ ଆଦି। ଭାରତକୁ ଶୁଳ୍କ ବୃଦ୍ଧି ବାବଦରେ ବର୍ଷକୁ ୨୧.୭ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe