କନକ ବ୍ୟୁରୋ : କ୍ୟାରିୟରରେ ଉନ୍ନତି, ପିଲାଙ୍କ ବାହାଘର, ଅସୁସ୍ଥତାରୁ ମୁକ୍ତି, ଗୃହ ଶାନ୍ତି ଏହିଭଳି ଅନେକ ପ୍ରସଙ୍ଗରେ ଆପଣ ଜ୍ୟୋତିଷଙ୍କ ଶରଣ ପଶୁଥିବେ । ସମାଜ ଯେତିକି ଉନ୍ନତି କରୁଛି କେଉଁ ଅଜଣା ଭୟରେ ଆମେ ସେତିକି ଅନ୍ଧବିଶ୍ୱାସୀ ହୋଇଯାଉଛୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତୀୟ ଟିମ୍ ପାଇଁ ଖେଳାଳି ଚୟନ କରିବାକୁ ବି ନିଆଯାଉଛି ଜ୍ୟୋତିଷଙ୍କ ସହାୟତା । ଏହିଭଳି ଏକ ରୋଚକ ଖବର ସାମ୍ନାକୁ ଆସିଛି ।

Advertisment

୨୦୨୨ ମସିହାରେ ଏସିଆନ କପ୍ ପ୍ରିଲିମ୍ସ ପାଇଁ ଭାରତୀୟ ଫୁଟବଲ ଦଳ ଚୟନ ବେଳେ ଜ୍ୟୋତିଷଙ୍କ ସହାୟତା ନେଇଥିଲେ କୋଚ୍ । କୋଚ୍ ଇଗୋର ଷ୍ଟିମକ୍ ଏବଂ ନୋଏଡାସ୍ଥିତ ଜ୍ୟୋତିଷ ଭୂପେଶ ଶର୍ମାଙ୍କ ହ୍ୱାଟ୍ସଆପ ଚାଟ୍ ସାମ୍ନାକୁ ଆସିବା ପରେ ଏହି ତତ୍ୟ ପଦାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ୨୦୨୨ ଜୁନ୍ ୯ ତାରିଖରେ ଆଫଗାନିସ୍ତାନ ବିରୋଧରେ ଖେଳିବା ପୂର୍ବରୁ ଜ୍ୟୋତିଷ ଭୂପେଶ ଶର୍ମାଙ୍କ ପରାମର୍ଶ ନେଇ ପ୍ଲେଇଂ ୧୧ ସ୍ଥିର କରିଥିଲେ କୋଚ୍ ଇଗୋର ଷ୍ଟିମକ୍ । ନିର୍ଦ୍ଦିଷ୍ଟ ଖେଳାଳିଙ୍କ ପ୍ରଦର୍ଶନ କିଭଳି ରହିବ ସେନେଇ ଜ୍ୟୋତିଷଙ୍କ ସହ ବିଭିନ୍ନ ଚାଟ୍ କରିଥିଲେ କୋଚ୍ ।

ଆଉ ପ୍ରତ୍ୟେକ ଖେଳାଳିଙ୍କ ପ୍ରଦର୍ଶନ ବାବଦରେ ଜ୍ୟୋତିଷ ମତାମତ ଦେଇଥିଲେ । ଆଉ ସେହି ଆନୁସାରେ ଚୂଡାନ୍ତ ଖେଳାଳି ଚୟନ ହୋଇଥିଲା । ଏଭଳି ଏକ ରୋଚକ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଏକବିଂଶ ଶତାବ୍ଦିରେ କିଭଳି ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଚୟନ ପରିବର୍ତେ ଜାତକ ବିଚାର କରି ଖେଳାଳିଙ୍କୁ ଚୟନ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି ।