ଓସ୍କାର ଦୌଡରେ ଭାରତୀୟ ଫିଲ୍ମ । ମନୋନୀତ ହେଲା ତାମିଲ ଫିଲ୍ମ ‘କୁଝଙ୍ଗଲ’

116

କନକ ବ୍ୟୁରୋ: ୯୪ ତମ ଓସ୍କାର ପୁରସ୍କାର ଦୌଡରେ ରହିଛି ଭାରତୀୟ ଫିଲ୍ମ ‘କୁଝଙ୍ଗଲ’ । ପିଏସ୍ ବିନୋଥରାଜଙ୍ଗ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୁଝଙ୍ଗଲ’କୁ ସର୍ବଶ୍ରେଷ୍ଠ ଓସ୍କାର ପାଇଁ ଚୟନ କରାଯାଇଛି । ଚୟନ ପ୍ରକ୍ରିୟାରେ ନିୟୋଜିତ ୧୫ଜଣିଆ ସଦସ୍ୟ ବିଶିଷ୍ଟ କମିଟିର ମୁଖ୍ୟ ଶାଜି ଏନ୍ କରୁନ ଏହା ଘୋଷଣା କରିଛନ୍ତି । ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଚିବ ଜେନେରାଲ ସୁପ୍ରାନ ସେନ୍ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୨୨ ତାରିଖରେ ଲସ୍ ଆଞ୍ଜେଲସ୍ ଠାରେ ଆୟୋଜିତ ହେବ ଓସ୍କାର ଆୱାର୍ଡ ଉତ୍ସବ ।
‘କୁଝଙ୍ଗଲ’ ଫିଲ୍ମ ଜଣେ ମଦ୍ୟପ ବାପା ଓ ତା’ର ପୁଅ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ । ବାପଘରକୁ ଚାଲିଯାଇଥିବା ମଦ୍ୟପର ପତ୍ନୀକୁ ଘରକୁ ଫେରାଇ ଆଣିବା ପାଇଁ ବାପା- ପୁଅଙ୍କ ଅଭିଯାନ ଏଥିରେ ପ୍ରଦର୍ଶୀତ ହୋଇଛି । ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଚ୍ଛକ କାହାଣୀ ଯାହା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ବିନୋଥରାଜଙ୍କ ପରିବାରରେ ଘଟିଥିଲା । ଏହା ହେଉଛି ନିର୍ଦ୍ଦେଶକଙ୍କ ପ୍ରଥମ ଫିଲ୍ମ ମଧ୍ୟ । ଚଳିତ ବର୍ଷ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ୫୦ ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ମଧ୍ୟ ଏହି ଫିଲ୍ମକୁ ପୁରସ୍କୃତ କରାଯାଇଛି । ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ନୟନତାରା ଓ ବିପ୍ନେଶ ଶିବନ୍ । ମ୍ୟୁଜିକ ଦେଇଛନ୍ତି ୟୁଭାନ ଶଙ୍କର ରାଜା । ଚଳିତ ବର୍ଷ ଓସ୍କାର ଦୌଡରେ ଭାରତର ମୋଟ ୧୪ଟି ଫିଲ୍ମ ସାମିଲ ହୋଇଥିଲେ । ହେଲେ ସବୁକୁ ପଛରେ ପକାଇ ‘କୁଝଙ୍ଗଲ’ଓସ୍କାର ପାଇଁ ମନୋନୀତ ହୋଇଛି ।