ଦଶମ ଦିନରେ ପହଂଚିଲା କୃଷକଙ୍କ ଆନ୍ଦୋଳନ । କାନାଡା ପରେ ଏବେ ଏହି ସବୁ ଦେଶରୁ ମିଳୁଛି ବିପୁଳ ସମର୍ଥନ

288

କନକ ବ୍ୟୁରୋ : ଲବଣ ସତ୍ୟାଗ୍ରହ ଭଳି ଦିନକୁ ଦିନ ଦେଶ ସାରା କୃଷକ ଆନ୍ଦୋଳନକୁ ସମର୍ଥନ ମିଳିବାରେ ଲାଗିଛି । ସିନେ ତାରକା, ରାଜନେତା, ଖେଳଳୀ ମାନେ ସେମାନଙ୍କର ସମର୍ଥନ ଜଣାଉଛନ୍ତି । ଅନ୍ୟପଟେ କିଛି ବୁଦ୍ଧିଜୀବୀ ବି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳିଛି ।
ଗୋଟିଏ ପଟେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶରୁ ସମର୍ଥନ ମିଳୁଥିବା ବେଳେ ଏବେ ଏହି ଆନ୍ଦୋଳନକୁ ବିଦେଶରୁ ବି ସମର୍ଥନ ମିଳିବାରେ ଲାଗିଛି । ପ୍ରଥମେ କାନାଡାରୁ ସମର୍ଥନ ମିଳିଥିବା ବେଳେ ଏବେ ବ୍ରିଟେନର କିଛି ସାଂସଦ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି । ସେମାନେ ଦାବି କରିଛନ୍ତି କି ଏନେଇ ବ୍ରିଟେନ୍ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରନ୍ତୁ ।
ଅନ୍ୟପଟେ ବିଭିନ୍ନ ଦେଶରେ ରହୁଥିବା ସିଖ୍ ଓ ପଞ୍ଜାବୀ କୃଷକ ମାନେ ଏଥିରେ ସାମିଲ ହେଉଥିବା ସୂଚନା ମିଳିଛି । ବ୍ରିଟେନର ୩୬ ଜଣ ସାଂସଦ (ଯେଉଁମାନେ କି ମୂଳ ଭାରତୀୟ) ସେମାନେ କୃଷି ଆଇନ ସଂପର୍କରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ୍ଙ୍କୁ ସେମାନେ ଚିଠି ଲେଖି କୃଷକ ଆନ୍ଦୋଳନ ସଂପର୍କରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।
ଏହି ଚିଠିରେ ଦସ୍ତଖତ କରିଥିବା ନେତା ମାନେ ଲେବର ପାର୍ଟି, କନଜରଭେଟିବ ପାର୍ଟି ଓ ସ୍କଟିସ୍ ନ୍ୟାସନାଲ ପାର୍ଟିର ସାଂସଦ ଥିବା ଜଣାପଡିଛି । ସେମାନେ ଚିଠିରେ ଲେଖିଛନ୍ତି କି ଏତେବଡ ଗଣତନ୍ତ୍ର ରାଷ୍ଟ୍ରରେ କୃଷକ ଆନ୍ଦୋଳନ ଏକ ଚିନ୍ତାଜନକ ବିଷୟ । ବ୍ରିଟେନରେ ରହୁଥିବା ସିଖ୍ ଓ ପଞ୍ଜାବୀ ଲୋକମାନେ ଏହା ଦ୍ୱାରା ପ୍ରଭାବିିତ ହେଉଛନ୍ତି । ଏହାସହ ଅନେକ ବିଦେଶୀ ସାଂସଦ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭାରତର ୩ ଟି କୃଷି ଆଇନର ପ୍ରଭାବ ସଂପର୍କରେ ଚିଠି ଲେଖି ଜଣାଇଥିବା ଜଣାପଡିଛି । ଏହି ଚିଠିରେ ଲେଖାଯାଇଛି କି ଭାରତ ସରକାର ଆଣିଥିବା ଏହି ୩ ଟି କୃଷି ବିଲ୍ କୃଷକଙ୍କୁ ଶୋଷଣମୁକ୍ତ କରିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ କରିବାରେ ବିଫଳ ହେବ । ଅନ୍ୟପଟେ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ପୋଲିସ ଯେଭଳି ବ୍ୟବହାର କରୁଛି ତାହାକୁ କଡା ଭାଷାରେ ସେମାନେ ନିନ୍ଦା କରିଛନ୍ତି ।