ଜିଏସଟି ଆଦାୟ, ପେଟ୍ରୋଲ-ଡିଜେଲର ବିକ୍ରି ଓ ଗାଡ଼ି ବିକ୍ରିକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି । ବିଶେଷଜ୍ଞ କହିଲେ ମିଳୁଛି ଖୁବ ଭଲ ସଂକେତ

143

କନକ ବ୍ୟୁରୋ : କରୋନା ମହାମାରୀର ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା ରାଜ୍ୟ ତଥା ଦେଶର ଅର୍ଥନୀତି । ସବୁଠାରୁ ଅଧିକ ଦିନ ଧରି ଲକ୍ ଡାଉନ ହେବା ଫଳରେ ଶିଳ୍ପ ଓ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଚାକିରୀଆଙ୍କ ବେତନକାଟ ଯୋଗୁ ଅର୍ଥନୀତି ଏକ ରକମ ସ୍ଥାଣୁ ପାଲଟି ଯାଇଥିଲା । କିନ୍ତୁ ଏବେ ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଥିବା ଅଭିବୃଦ୍ଧି କିଛିଟା ଆଶା ସଂଚାର କରିଛି ।

ବଢିଲା ବିଦ୍ୟୁତ ବ୍ୟବହାର
ଦେଶରେ ବିଦ୍ୟୁତ ବ୍ୟବହାର ଅକ୍ଟୋବର ମାସରେ ୧୩.୩୮ ପ୍ରତିଶତ ବୃଦ୍ଧି ପାଇ ୧୧୦.୯୪ ବିଲିୟନ ୟୁନିଟରେ ପଂହଚିଛି । ଏହା କଳ କାରଖାନା ଓ ଶିଳ୍ପସଂସ୍ଥା ସବୁ ପୁଣି କାର୍ଯ୍ୟକ୍ଷମ ହେବା ନେଇ ସଙ୍କେତ ଦେଉଛି । ଏପରିକି ଅକ୍ଟୋବରର ବିଦ୍ୟୁତ ବ୍ୟବହାର ଗତବର୍ଷର ବ୍ୟବହାରଠାରୁ ମଧ୍ୟ ବଢି ଯାଇଛି ।

ଇନ୍ଧନ ବିକ୍ରିରେ ବୃଦ୍ଧି
ଅକ୍ଟୋବରରେ ମାସରେ ଡିଜେଲ ବିକ୍ରୀ ୬.୬ ଓ ପେଟ୍ରୋଲ ବିକ୍ରୀ ୪ ପ୍ରତିଶତ ବଢିଛି । ସେହିପରି ବିମାନ ଇନ୍ଧନ ମାସିକ ବିକ୍ରିରେ ୧୩ ପ୍ରତିଶତ ଓ ଏଲପିଜି ବିକ୍ରିରେ ମଧ୍ୟ ୭ ପ୍ରତିଶତ ବୃଦ୍ଧି ହୋଇଛି ।

ବଢିଲା କାର ବିକ୍ରି
କାର ବିକ୍ରିରେ ମଧ୍ୟ ବଡ ଧରଣର ସୁଧାର ଦେଖିବାକୁ ମିଳିଛି । ଦେଶର ପ୍ରମୁଖ କାର ନିର୍ମାତା ମାରୁତି ସୁଜୁକି ୧୭.୬ ପ୍ରତିଶତ ଅଭିବୃଦ୍ଧି ଲାଭ କରିଛି ।

ରେଳବାଇ ମାଲ ପରିବହନରେ ବୃଦ୍ଧି
ଅକ୍ଟୋବର ମାସରେ ରେଳବାଇ୧୦୮.୧୬ ନିୟୁତ ଟନ ମାଲ ପରିବହନ କରିଛି, ଯାହା ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ।

ୟୁପିଆଇ କାରବାର ବୃଦ୍ଧି
ମହାମାରୀ ଭିତରେ ବଢିଯାଇଛି ଡିଜିଟାଲ କାରବାର । ଚଳିତ ବର୍ଷ ଅକ୍ଟୋବରରେ ଏହା ୮୦ ପ୍ରତିଶତ ବୃଦ୍ଧି ପାଇ ୪ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ଜିଏସଟି ଆଦାୟରେ ବୃଦ୍ଧି
କୋଭିଡ ମହାମାରୀ ସମୟରେ ଦୀର୍ଘ ୮ ମାସ ପରେ ଅକ୍ଟୋବର ମାସରେ ଦେଶରେ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଆମ ରାଜ୍ୟ ଓଡିଶାରେ ମଧ୍ୟ ଏହି କ୍ଷେତ୍ରରେ ୨୧ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ଦେଶରେ କରୋନା ସଂକ୍ରମଣ କମି ଚାଲିଥିବା ବେଳେ ପର୍ଯ୍ୟାୟକ୍ରମେ ଅର୍ଥନୀତିକୁ ଉନ୍ମୁକ୍ତ କରାଯାଉଛି । ଅର୍ଥନିତୀକୁ ସବଳ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ୟାକେଜ୍ ମଧ୍ୟ ଘୋଷଣା କରୁଛନ୍ତି । ତଥାପି ଏପର୍ଯ୍ୟନ୍ତ ପର୍ଯ୍ୟଟନ, ହୋଟେଲ, ସିନେମା ପରି ଅନେକ ଶିଳ୍ପ ଅଭିବୃଦ୍ଧି ଅପେକ୍ଷାରେ ଅଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ଦେଖାଦେଇଥିବା ଏହି ଅର୍ଥନୈତିକ ଅଭିବୃଦ୍ଧି କୋଭିଡପୂର୍ବ ସ୍ଥିତିକୁ ଶୀଘ୍ର ଫେରିବାରିବାର ଆଶା ସଂଚାର କରୁଛି ।