କୁଳଭୂଷଣଙ୍କୁ ନେଇ ସାଂଘାତିକ ଖେଳ ଖେଳୁଛି ପାକିସ୍ତାନ ! ନିଜ ଦେଶ ସପକ୍ଷରେ ପ୍ରଂଶସା ଏବଂ ଭାରତ ବିରୋଧରେ ବିଷୋଦଗାର କରିବାକୁ କରୁଛି ବାଧ୍ୟ ।

734

କନକ ବ୍ୟୁରୋ : ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶରେ କୁଲଭୂଷଣଙ୍କୁ ଦୂତାବାସ ସହାୟତା ଦେଇଛି ପାକିସ୍ତାନ । ସୋମବାର ଇସଲାମାବାଦରେ ଥିବା ଭାରତୀୟ ଡେପୁଟି ହାଇକମିଶନର ଗୌରବ ଅଲୁୱାଲିଆ ଜେଲରେ କୁଲଭୂଷଣଙ୍କୁ ଭେଟିଛନ୍ତି । ହେଲେ ତାଙ୍କ କହିବା ହେଲା କୁଲଭୂଷଣ କେବଳ ତାହା ହିଁ କହିଛନ୍ତି, ଯାହା ପାକିସ୍ତାନ ତାଙ୍କ ମୁହଁରେ କୁହାଇବାକୁ ଚାହୁଁଥିଲା । ଅର୍ଥାତ ଶୁଆ ରଟିବା ପରି କୁଲଭୂଷଣ କେବଳ ପାକିସ୍ତାନ କଥା ହିଁ କହିଥିଲେ । ଯେମିତି ଜେଲ ହାଜତରେ ଥିବା ଜଣେ କଏଦୀ ଭୟରେ କହିଥାଏ । ବା ତାଙ୍କୁ କହିବା ପାଇଁ ବାଧ୍ୟ କରାଯାଇଥାଏ ।

ପୂର୍ବରୁ ମଧ୍ୟ କୁଲଭୂଷଣଙ୍କୁ ଧମକ ଚମକ ଦେଇ ଏକ ଭିଡିଓ ଜାରି କରାଯାଇଥିଲା । ଯେଉଁଥିରେ ପାକିସ୍ତାନକୁ ପ୍ରଶଂସା ଓ ଭାରତ ବିରୋଧରେ ବିଷୋଦଗାର କରିଥିଲେ କୁଲଭୂଷଣ ଯାଦବ । ହେଲେ ଏକଥା ସତ ଯେ, ୨୦୧୬ରେ କୁଲଭୂଷଣ ଗିରଫ ହେବା ପରେ ପ୍ରଥମଥର ଲାଗି କୌଣସି ଭାରତୀୟ ଅଧିକାରୀଙ୍କୁ ତାଙ୍କୁ ଭେଟିବା ପାଇଁ ଦିଆଯାଇଛି ।

Kulbhusanଭାରତର ବାରମ୍ବାର ଅନୁରୋଧ ଓ କୁଟନୈତିକ ଚାପ ପରେ ୨୦୧୭ରେ କୁଲଭୂଷଣଙ୍କୁ ଭେଟିବା ଲାଗି ତାଙ୍କ ପରିବାରକୁ ସୁଯୋଗ ଦେଇଥିଲା ପାକିସ୍ତାନ । ହେଲେ ଯେଭଳି ଢଙ୍ଗରେ ଏହି ସାକ୍ଷାତ ଆଲୋଚନା ହୋଇଥିଲା, ତାହା ମଧ୍ୟ ସଇତାନ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ସାମ୍ନାକୁ ଆଣିଥିଲା । ସୁରକ୍ଷା ନାଁରେ ୭୦ ବର୍ଷର ମାଆଙ୍କୁ ବି ପୋଷାକ ପରିବର୍ତନ କରିବାକୁ ବାଧ୍ୟ କରାଯାଇଥିଲା । ସବୁବେଳେ ଶାଢୀ ପିନ୍ଧୁଥିବା କୁଲଭୂଷଣଙ୍କ ମାଆଙ୍କୁ ସାଲୱାର ପିନ୍ଧିବାକୁ କହିଥିଲେ ସୁରକ୍ଷାକର୍ମୀ ।

କେବଳ ସେତିକି ନୁହେଁ ଅମାନବିକତାର ସବୁ ସୀମା ଟପି ଯାଇଥିଲା ପାକିସ୍ତାନ୍ । କୁଲଭୂଷଣଙ୍କ ପତ୍ନୀ ଚେତନାଙ୍କୁ ଗଳାରୁ ମଙ୍ଗଳସୂତ୍ର, ହାତରୁ ଚୁଡି ଓ ମଥାରୁ ବିନ୍ଦି କାଢିବାକୁ ବାଧ୍ୟ କରାଯାଇଥିଲା । ସୁରକ୍ଷା ନାଁରେ ଦୁଇ ନୀରିହ ମହିଳାଙ୍କୁ ଖୁବ ଅପମାନିତ ହେବାକୁ ପଡିଥିଲା ପାକିସ୍ତାନ ମାଟିରେ । ଏହାକୁ ନେଇ ଭାରତର ତୀବ୍ର ପ୍ରତିବାଦ ପରେ କୁଲଭୂଷଣଙ୍କ ଏକ ପ୍ରାୟୋଜିତ ଭିଡିଓ ଜାରି କରିଥିଲା ପାକିସ୍ତାନ ସେନା ।

ଭିଏନା ଚୁକ୍ତି ଅନୁସାରେ କୌଣସି ବିଦେଶୀ ନାଗରିକଙ୍କୁ ଗିରଫ କଲେ ପ୍ରଥମେ ସଂପୃକ୍ତ ଦେଶର ଦୂତାବାସକୁ ଅବଗତ କରିବା କଥା । ଆଇନଗତ ସହାୟତା ଯୋଗାଇ ଦେବା ସହ ପରିବାର ସଦସ୍ୟଙ୍କୁ ଭେଟିବାକୁ ଦେବାଲାଗି ଅନୁଚ୍ଛେଦ ୩୬ରେ ପ୍ରାବଧାନ ରହିଛି । ହେଲେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଆସୁଥିଲା ଇସଲାମାବାଦ୍ । ତେଣୁ ଦୂତାବାସ ସହାୟତା ନେଇ ଆଇସିଜେଙ୍କ ନିର୍ଦ୍ଦେଶ ପରେ କୁଲଭୂଷଣଙ୍କୁ ଏକାକୀ ଭେଟିବାକୁ ବାଦି କରିଥିଲା ଭାରତ । ଅର୍ଥାତ ଏହି ସାକ୍ଷାତ ସମୟରେ କୌଣସି ପାକିସ୍ତାନୀ ଅଧିକାରୀ ଉପସ୍ଥିତ ରହିବେ ନାହିଁ । ହେଲେ ସେଭଳି କୌଣସି ବନ୍ଦୋବସ୍ତ କରିନଥିଲା ଇସଲାମାବାଦ ।
ତେଣୁ ପୁଣିଥରେ ଏଭଳି ଏକ ସାକ୍ଷାତ ଆଲୋଚନା ପାଇଁ ଦାବି କରିବ ନୂଆଦିଲ୍ଲୀ । ୩ ମାର୍ଚ୍ଚ ୨୦୧୬ରେ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଗିରଫ କରିଥିଲା ପାକିସ୍ତାନ୍ । ଭାରତର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ- ର’ର ଏଜେଂଟ୍ ଭାବେ କାମ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ୍ । ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି ସେଠାକାର ସାମରିକ କୋର୍ଟ । ହେଲେ ଆଇସିଜେଙ୍କ ହସ୍ତକ୍ଷେପ ପରେ ତାଙ୍କ ମୃତ୍ୟୁ ଦଣ୍ଡାଦେଶରେ ରୋକ୍ ଲାଗିଛି । ଆଉ ଭାରତ ତାଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ।