ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି ।
ଏହାକୁ କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ଏହା ପାକିସ୍ତାନରେ ଉପସ୍ଥିତ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ପାଇଁ ମହାବିପଦ ସୃଷ୍ଟି କରିବ । ଏହି ମିସାଇଲ ରେଜିମେଣ୍ଟ ମାଧ୍ୟମରେ ଭାରତୀୟ ସେନା ନିଜର ରକେଟ୍ ଫୋର୍ସକୁ ମଜବୁତ କରିବାକୁ ଯାଉଛି ।
ଗତ ବର୍ଷ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ପ୍ରଳୟ କ୍ଷେପଣାସ୍ତ୍ରର ଏକ ୟୁନିଟକୁ ମଞ୍ଜୁରୀ ଦେଇଥିଲା । ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ ହେଇ ପାରୁଥିବା କ୍ଷେପଣାସ୍ତ୍ର । ଏହାର ରେଞ୍ଜ ୧୫୦ ରୁ ୫୦୦ କିଲୋମିଟର ଅଟେ । ପୂର୍ବତନ ଚିଫ ଡିଫେନସ ଷ୍ଟାଫ ବିପିନ ରାୱତଙ୍କର ଏହା ପରିକଳ୍ପନା ଥିଲା ।
ପ୍ରଳୟର ଗତି ଘଣ୍ଟାପ୍ରତି ୧୨୦୦ କିଲୋମିଟର ଅଟେ । ଏହାର ବେଗକୁ ଘଣ୍ଟା ପ୍ରତି ୨୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଆକାଶରୁ ଭୂପୃଷ୍ଟକୁ ପଡ଼ିବାବେଳେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଏହାର ବେଗ ବହୁତ ବୃଦ୍ଧି ପାଇଥାଏ ।
ଚୀନ ପାଖରେ ଏହି ପ୍ରକାରର ଡୋଙ୍ଗଫେଙ୍ଗ -12 କ୍ଷେପଣାସ୍ତ୍ର ଅଛି। ପାକିସ୍ତାନ ପାଖରେ ମଧ୍ୟ ଏହିପ୍ରକାର କ୍ଷେପଣାସ୍ତ୍ର ଗଜନଭି, ଏମ -11 (ଚାଇନାରୁ ମିଳିଛି) ଏବଂ ଶାହିନ୍ କ୍ଷେପଣାସ୍ତ୍ର ରହିଛି ।
ସ୍ୱଳ୍ପ ରେଞ୍ଜରେ ଏକ ବଡ଼ ସୁବିଧା ହେଉଛି ଏହା ସୀମା ନିକଟରେ ଥିବା ଶତ୍ରୁ ଶିବିରକୁ ମୁହୁର୍ତ୍ତକ ମଧ୍ୟରେ ଧ୍ୱଂସ କରିଦେଇ ପାରିବ । ଏହି କ୍ଷେପଣାସ୍ତ୍ର ୨୦୨୧ ଡିସେମ୍ବର ମାସରେ ୨୪ ଘଣ୍ଟା ମଧ୍ୟରେ ଦୁଇଥର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଚୀନ୍ ଏବଂ ପାକିସ୍ଥାନ ସୀମାରେ ନିୟୋଜିତ ହେବା ଯୋଗୁଁ ଉଭୟ ଦେଶ ଆଗକୁ ବଢିବାକୁ ସାହସ କରିବେନାହିଁ । ନିଜ ସୀମା ମଧ୍ୟରେ ରହିବେ। ଯଦି ଏହା ସୀମା ନିକଟରୁ ପ୍ରକ୍ଷେପଣ କରାଯାଏ ତେବେ ବଙ୍କର, ତୋପ, ସାମରିକ ବେସ କିମ୍ବା ପାକିସ୍ତାନର ଅସ୍ତ୍ରଶସ୍ତ୍ର ଡିପୋ ଧ୍ୱଂସ କରିବାକୁ ବେଶି ସମୟ ଲାଗିବ ନାହିଁ ।