ମୈଦାନରେ ମା’ । ନୂଆ ଚିନ୍ତାଧାରା ସହ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ, କିଛି ଏଭଳି ଭାବେ ମା’ଙ୍କୁ ଜଣାଇଥିଲା ସମ୍ମାନ ।

787

କନକ ବ୍ୟୁରୋ : ଯିଏ ସବୁଠାରୁ ନିଜର । ଯିଏ ହାତ ଧରି ବାଟ ଚାଲିବା ଶିଖାଏ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ । ଏହା କେବଳ ଏକ ଡାକ ନୁହେଁ ଏଥିରେ ସୀମିତ ସାରା ବିଶ୍ୱ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ମାଆର ଅବଦାନକୁ ମନେ ପକାଇବା ପାଇଁ ବିଶ୍ୱ ପାଳନ କରୁଛି ମାତୃ ଦିବସ । ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଏ । ମା’ଙ୍କ ପାଇଁ ଦିନଟିଏ । ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ ।

ତେବେ କେବଳ ଯେ, ମାତୃଦିବସରେ ହିଁ ମା’ଙ୍କୁ ମନେ ପକାଇବା, ତାହା ଯଥାର୍ଥ ନୁହେଁ । ଯାହା ପ୍ରମାଣ କରିଥିଲା ଭାରତୀୟ କ୍ରିକେଟ୍ ଦଳ । କ୍ରିକେଟ୍ ଇତିହାସରେ ସେହିଦିନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଛି । ଯେତେବେଳେ ମା’ଙ୍କୁ ସାଙ୍ଗରେ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

ଅକ୍ଟୋବର ୨୯, ୨୦୧୬ । ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଦେଖିବାକୁ ମିଳିଥିଲା ଏମିତି ଏକ ନିଆରା ଦୃଶ୍ୟ । ମା’ଙ୍କ ନା ଥିବା ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ଭାରତୀୟ ଖେଳାଳି । ଜଣେ ଖେଳାଳିଙ୍କ ଖ୍ୟାତି ପଛରେ ବାପାଙ୍କ ଯେତିକି ହାତ ରହିଛି, ଠିକ୍ ସେହିପରି ମା’ମାନଙ୍କର ବି ସମାନ ସହଯୋଗ ରହିଛି । ଆଉ ଏହି ବାର୍ତା ହିଁ ଦେଉଥିଲେ ଭାରତୀୟ ଖେଳାଳି । ଆଉ ସେହି ମ୍ୟାଚରେ ବିଶାଳ ବିଜୟ ସହ ସିରିଜ୍ ଜିତିଥିଲା ଭାରତ । ଶେଷ ଦିନିକିଆରେ ୭୯ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍ କରିଥିଲା ଟିମ୍ ଇଣ୍ଡିଆ ।