କଥା ୧୯୮୮ ମସିହାର… ଯେବେ ଭାରତୀୟ କ୍ରିକେଟ ଟିମରେ ଡେବ୍ୟୁ କରିଥିଲେ ନରେନ୍ଦ୍ର ହିରୱାନୀ । ପ୍ରଥମ ମ୍ୟାଚରେ ହାସଲ କରିଥିଲେ ୧୬ ୱିକେଟ । ତାପରେ ଶେଷ ହୋଇଯାଇଥିଲା କ୍ୟାରିୟର ।

337

କନକ ବ୍ୟୁରୋ : ନିଜ ଡେବ୍ୟୁ ମ୍ୟାଚରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଗୋଟିଏ ଟେଷ୍ଟ ମ୍ୟାଚରେ ୧୬ ୱିକେଟ ନେଇ ସାରା ବିଶ୍ୱ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଏହି ଭାରତୀୟ କ୍ରିକେଟର । ନିଜ କ୍ୟାରିୟର ଆରମ୍ଭରୁ ଏଭଳି ପ୍ରଦର୍ଶନ ତାଙ୍କ ଭବିଷ୍ୟତକୁ ଉଜ୍ଜଳ ରାସ୍ତା ଦେଖାଇଥିଲା । ହେଲେ ସାଥ ଦେଲାନି ଭାଗ୍ୟ । ଡେବ୍ୟୁ ମ୍ୟାଚରେ ତାଙ୍କ ରେକର୍ଡ ପରେ ପୂରା ଫ୍ଲପ ହୋଇଯାଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରୱାନୀ । ଯେଉଁଥିପାଇଁ ଖୁବ ଶୀଘ୍ର ଶେଷ ହୋଇଯାଇଥିଲା ତାଙ୍କ କ୍ୟାରିୟର । ତେବେ ଆସନ୍ତୁ ଆଜି ଜାଣିବା ତାଙ୍କର ସେହି ସ୍ମରଣୀୟ ମ୍ୟାଚ ବିଷୟରେ ।

୧୯୮୮ ମସିହା, ଜାନୁଆରୀ ୧୧ ତାରିଖ । ଭାରତ ବନାମ ୱେଷ୍ଟ ଇଣ୍ଡିଜ । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥାଏ ଏହି ମ୍ୟାଚ । ଏହି ମ୍ୟାଚରେ ଭାରତୀୟ ଟିମରେ ଡେବ୍ୟୁ କରିଥିଲା ଏକ ନୂଆ ଚେହେରା । ସେ ହେଉଛନ୍ତି ନରେନ୍ଦ୍ର ହିରୱାନୀ । ନିଜ ଡେବ୍ୟୁ ମ୍ୟାଚରେ ସେ ଏଭଳି ଖେଳିବେ କେହି କେବେ ବିଶ୍ୱାସ କରିନଥିଲେ । ଏହି ମ୍ୟାଚରେ ଭିଭାନ ରିଚାର୍ଡସ, ଗସ୍୍ ଲୋଗୀ, ରିଚାର୍ଡସନ ଓ କାର୍ଲ ହୋପରଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ ଏହି ବୋଲର ।

ଏହି ଟେଷ୍ଟ ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ । ପ୍ରଥମ ଇଂନିସରେ କପିଳ ଦେବଙ୍କ ଶତକ ବଳରେ ୩୮୨ ରନ କରିପାରିଥିଲା ଟିମ ଇଣ୍ଡିଆ । ପରେ ନିଜର ପ୍ରଥମ ଇଂନିସ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା ଇଣ୍ଡିଜ ଦଳ । ହେଲେ ହିରୱାନୀଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ୱେଷ୍ଟଇଣ୍ଡିଜ ଟିମ । ଗୋଟିଏ ପରେ ଗୋଟିଏ ୱିକେଟ ନେଇ ଚାଲିଥିଲେ ହିରୱାନୀ । ଏହି ଇଂନିସରେ ନରେନ୍ଦ୍ର ହିରୱାନୀ ୮ ୱିକେଟ ନେଇଥିଲେ ।

ଭାରତ ନିଜ ଦ୍ୱିତୀୟ ଇଂନିସରେ ୨୧୭ ରନ କରିଥିଲା । ଆଉ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇଂନିସ ବେଳକୁ ସାମ୍ନାରେ ଥାଏ ୪୧୫ ରନର ବିଜୟ ଲକ୍ଷ୍ୟ । ଏହି ବିଜୟ ଲକ୍ଷ୍ୟ ପୂରଣ କରିବା ଇଣ୍ଡିଜ ଦଳ ପାଇଁ କୌଣସି ବଡ କଥା ନଥିଲା । କାରଣ ଦଳରେ ଥିଲେ ଅନେକ ଅଭିଜ୍ଞ ବ୍ୟାଟ୍ସମ୍ୟାନ । ହେଲେ ଦ୍ୱିତୀୟ ଇଂନିସରେ ବି ଚମତ୍କାର ଦେଖାଇଥିଲେ ହିରୱାନୀ । ଏଥିରେ ବି ୱେଷ୍ଟଇଣ୍ଡିଜର ଶକ୍ତିଶାଳୀ ବ୍ୟାଟିଂ ଲାଇନକୁ ଧ୍ୱଂସ କରିଦେଇଥିଲେ ଏହି ନବାଗତ ବୋଲର ।

ଏହି ମ୍ୟାଚରେ ଏଭଳି ସ୍ମରଣୀୟ ଇଂନିସ ଖେଳି ସେ ସମୟରେ ବେଶ ଚର୍ଚ୍ଚିତ ହୋଇଥିଲେ ନରେନ୍ଦ୍ର ହିରୱାନୀ । ହେଲେ ଏହାପରେ ବିଦେଶରେ ପୂରା ଫ୍ଲପ ହୋଇଥିଲେ ଏହି ଖେଳାଳି । ଏହାପରେ ଟିମ ଇଣ୍ଡିଆରେ ଅନୀଲ କୁମ୍ବେଲଙ୍କ ଆଗମନ ତାଙ୍କ କ୍ୟାରିୟରକୁ ଶେଷ କରିଦେଇଥିଲା । ନରେନ୍ଦ୍ର ହିରୱାନୀ ଭାରତ ପାଇଁ ୧୭ଟି ଟେଷ୍ଟ ମ୍ୟାଚ ଖେଳି ୬୬ ଓି୍ୱକେଟ ନେଇଥିଲେ ।