ଭାରତ ଫେରୁଛନ୍ତି ବିଶ୍ୱ ଚାମ୍ପିୟନ । ଆସନ୍ତାକାଲି ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ, ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି କୋଟି କୋଟି କ୍ରିକେଟପ୍ରେମୀ । 

198

କନକ ବ୍ୟୁରୋ : ବାର୍ବାଡୋସରୁ ଭାରତ ଫେରୁଛନ୍ତି ବିଶ୍ୱବିଜେତା । ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଫେରୁଛନ୍ତି ଚାମ୍ପିୟନ । ଆଉ ବାସ୍ କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ସକାଳ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ ଭାରତୀୟ ଟିମର ବିମାନ । ଏଥିପାଇଁ ବାର୍ବାଡୋସରୁ ଉଡାଣ ଭରି ସାରିଛି ଚାଟାର୍ଡ ଫ୍ଲାଇଟ । ବାତ୍ୟା ପାଇଁ ବାର୍ବାଡୋସରେ ପଶି ରହିଥିଲା ଟିମ୍ ଇଣ୍ଡିଆ । ଯେଉଁଥିପାଇଁ ଖେଳାଳୀଙ୍କର ସ୍ୱଦେଶ ଫେରିବାରେ ବିଳମ୍ବ ହୋଇଥିଲା ।  ଏବେ ଚାମ୍ପିୟନ ଖେଳାଳୀ ଭାରତକୁ ଫେରୁଥିବା ଖବର ଜାଣିବା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ । ସକାଳ ୯ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାତ୍ରା କରିବେ ରୋହିତ ବାହିନୀ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିବେ । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳୀ ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ୱକପ ଟ୍ରଫି ଦେବେ ଅଧିନାୟକ ରୋହିତ ଶର୍ମା ।

ବାତ୍ୟାରେ ଫଶିଥିବା ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ବାଡୋସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା ବିସିସିଆଇ । ଏହି ଚାଟାର୍ଡ ବିମାନର ନାଁ ଏଆଇସି୨୪ଡବ୍ଲୁସି । ଏହି ବିମାନରେ ଖେଳାଳୀଙ୍କ ସହ ସହଯୋଗୀ ଷ୍ଟାଫ୍, ଖେଳାଳୀଙ୍କ ପରିବାର ସଦସ୍ୟ, ବିସିସିଆଇର କିଛି ସଦସ୍ୟ, ଭାରତୀୟ ଗଣମାଧ୍ୟମର କିଛି ସଦସ୍ୟ ଭାରତ ଫେରୁଛନ୍ତି । ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ଏହାପୂର୍ବରୁ ୨୦୦୭ରେ ଧୋନୀଙ୍କ ନେତୃତ୍ୱରେ ଟି-୨୦ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ ।