କନକ ବ୍ୟୁରୋ : ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ । ଅନ୍ୟସ୍ଥାନରେ ମ୍ୟାଚ୍ ଖେଳିବାକୁ ଆଇସିସିକୁ ଅପିଲ କରିବ ବିସିସିଆଇ । ଦୁବାଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ମ୍ୟାଚ । ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହାଇବ୍ରିଡ ମଡେଲରେ ଏସିଆ କପର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ଭାରତୀୟ ଟିମ୍ ।

ଆସନ୍ତା ୨୦୨୫ ଫେବ୍ରୁଆରୀରେ ପାକିସ୍ତାନରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି । ଏନେଇ ପାକିସ୍ତାନ ପକ୍ଷରୁ ସମସ୍ତ ମ୍ୟାଚ୍ ସୂଚୀ ଆଇସିସିକୁ ପ୍ରଦାନ କରାଯାଇଛି । ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବାକୁ ସ୍ଥିରୀକୃତ ହୋଇଛି । କିନ୍ତୁ ବିସିସିଆଇ ପକ୍ଷରୁ ପାକିସ୍ତାନରେ ମ୍ୟାଚ୍ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏସବୁ ଭିତରେ ପାକିସ୍ତାନକୁ ମ୍ୟାଚ୍ ଖେଳିବାକୁ ଭାରତ ଯାଇନପାରେ ବୋଲି ବିସିସିଆଇର ବିଶ୍ୱସ୍ତ ସୂତ୍ରରୁ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ମିଳିଛି । ତେବେ ପାକିସ୍ତାନକୁ ଭାରତୀୟ ଟିମ୍ ଖେଳିବାକୁ ଯିବ କି ନାହିଁ ତାହାର ଶେଷ ନିଷ୍ପତ୍ତି ଭାରତ ସରକାର ନେବେ ।