ଛବି କହୁଛି କରୋନାର କରୁଣ କାହାଣୀ । କେମିତି ଅଛି ଭାରତ…୧୦ ଚିତ୍ରରେ ଫୁଟିଲା ଅସଲ ବ୍ୟଥା ।

ଟ୍ୱିଟ ମାଧ୍ୟମରେ ଫଟୋ ଛାଡିଲେ ରଏଟର୍ସର ଭାରତ ମୁଖ୍ୟ କ୍ୟାମେରାମ୍ୟାନ

352

କନକ ବ୍ୟୁରୋ: ଶ୍ମଶାନରେ ଜଳୁଥିବା ଶବର ଫଟୋ ଚିତ୍ର ଦେଖିବା ପରେ ବି ଯଦି ମଣିଷ କହୁଛି, ଭୂତାଣୁକୁ ନେଇ ସେ ଭୟଭୀତ ନୁହେଁ, ତେବେ ହୁଏତ ସେ ଛଳନା କରୁଛି । ଆଉ ସେ ଛଳନା ଆଉ କାହା ସହିତ କରୁନି ବରଂ, ନିଜ ସହ ନିଜେ ହିଁ ଛଳନା କରୁଛି । ମଧ୍ୟପ୍ରଦେଶର ଭୋପାଳରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ହିଁ ଆପଣ ବିଶ୍ୱାସ କରିବେ । ଶ୍ମଶାନରେ ଜଳୁଛି ଶହ ଶହ ଶବ ଆଉ ପୋଡୁଥିବା ଶବର ଏହି ନିଆଁ ରାତିର ଅନ୍ଧାରକୁ ଚିରି, ପୁରା ଅଂଚଳକୁ ଆଲୋଚିତ କରି ଦେଉଛି । ଆଉ ମଣିଷର ଅନ୍ତିମ ଦୃଶ୍ୟ କେତେ ଭୟଙ୍କର ହୋଇପାରେ ତାହା ଏକମାତ୍ର ଫଟୋ ହିଁ ବୟାନ କରୁଛି ।

ଖାଲି ମଧ୍ୟପ୍ରଦେଶ ନୁହେଁ ଦିଲ୍ଲୀରୁ ଆସିଥିବା କରୁଣ ଚିତ୍ର ମଧ୍ୟ ଅନେକ କାହାଣୀ କହୁଛି । ଭାଇ-ଭଉଣୀଙ୍କୁ ବାପ, ଛେଉଣ୍ଡ କରିଦେଇଛି ମହାମାରୀ ଆଉ ବିଧବା ହୋଇଯାଇଥିବା ମା’ଙ୍କୁ କ’ଣ କହି ବୁଝାଇବେ ପୁଅ-ଝିଅ, ତାଙ୍କ ପାଖରେ ଭାଷା ନାହିଁ । ଶେଷରେ ରାସ୍ତାକଡ଼ରେ ମା’ଙ୍କୁ ଚାବୁଡ଼ି ଧରିଛନ୍ତି କାନ୍ଦୁଛନ୍ତି ଭାଇ-ଭଉଣୀ ।

ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସ୍ପିଟାଲର ଚିତ୍ର ବି ସମାନ । ସେଠାରେ ପ୍ରାୟ ଦେଢ଼ ହଜାର ବେଡ୍ ଥିବା ଏହି ହସ୍ପିଟାଲରେ ସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ଗୋଟିଏ ବେଡ୍ରେ ଦୁଇ ଜଣ ଲେଖାଏଁ ରୋଗୀ ଚିକିତ୍ସିତ ହେଉଛନ୍ତି । ଯିଏ ଆଖି ବୁଜି ଦେଲା, ସିଏ ତ ଚାଲିଗଲା । କିନ୍ତୁ ଯିଏ ଅଛି, ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି, ତାକୁ ଚିକିତ୍ସା ଯୋଗାଇ ଦେବା ଏବେ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି । କାରଣ, ଦେଶରେ ଦୈନିକ ସଂକ୍ରମଣ, ୨ ଲକ୍ଷ ଟପିଛି । ଆଉ ସଂକ୍ରମଣ ସଂଖ୍ୟା, ଦେଶର ସ୍ୱାସ୍ଥ୍ୟ ସେବାକୁ ଦୋହଲାଇ ଦେଇଛି ।

ଆଜିର ଦିନରେ ମଙ୍ଗଳରେ ପହଂଚିଯାଇଥିବା ମଣିଷ, ଆଜି ବି ବେଶ ଅସହାୟ । କାରଣ, ମଣିଷର ଶେଷ ଠିକଣା, ଶ୍ମଶାନରେ ବି ଅନ୍ତିମ ସଂସ୍କାର ପାଇଁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । କରୋନାର ଏତେ ସବୁ କରୁଣ କାହାଣୀ, ଯଦି ଅମାନିଆଙ୍କ ଆଖି ଖୋଲି ନପାରିବ, ମଣିଷକୁ ଶୃଙ୍ଖଳିତ କରିନପାରିବ, ତେବେ, ମହାମାରୀକୁ ମଣିଷ ମାତ୍ ଦେବ କେମିତି?