ଟିକେଟ ନକରି ରେଳ ଯାତ୍ରା କରିବା ପଡୁଛି ମହଙ୍ଗା, ଗତବର୍ଷ ତୁଳନାରେ ଚଳିତ ବର୍ଷ ୭୫ ପ୍ରତିଶତ ଅଧିକ ଜରିମାନା କରିଛି ରେଳ ବିଭାଗ

184

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ତରଫରୁ ଟିକେଟ ନକାଟି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ଅଭିଯାନ କ୍ରମରେ ଗତ ୮ ମାସ ମଧ୍ୟରେ ୩୨.୭୭ ଲକ୍ଷ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛି ରେଳ ବିଭାଗ । ଭାରତୀୟ ରେଳ ବିଭାଗ ପକ୍ଷରୁ ଏଡି ୩୨.୭୭ ଲକ୍ଷ ଯାତ୍ରୀଙ୍କ ଠାରୁ ମୋଟ ୨୧୮ କୋଟି ଟଙ୍କା ଜରିମାନା ଆଦାୟ କରିଛି । ରେଳ ବିଭାଗ ପକ୍ଷରୁ କୁହାଯାଇଛି କି ଏହି ଜରିମାନା ଆଦାୟର ପରିମାଣ ଗତବର୍ଷ ତୁଳନାରେ ଚଳିତ ବର୍ଷ ୭୪.୮୩ ପ୍ରତିଶତ ଅଧିକ ।

ମଧ୍ୟ ରେଳ ବିଭାଗ ତରଫରୁ କୁହାଯାଇଛି କି ଚଳିତ ବର୍ଷ ଏପ୍ରିଲ ପହିଲାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ମୋଟ ଟିକେଟ କାଟି ନଥିବା ଲୋକଙ୍କ ଠାରୁ ୨୧୮ କୋଟି ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ହେଲେ ଗତବର୍ଷ ସମାନ ଅବଧି ମଧ୍ୟରେ ୧୨୪.୬୮ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।

ସୂଚନା ଥାଉକି ସାରା ବିଶ୍ୱ ତୁଳନାରେ ଭାରତୀୟ ରେଳ ବିଭାଗ ହେଉଛି ସବୁଠାରୁ ବଡ ରେଳ ବିଭାଗ । ଦୈନିକ ଲକ୍ଷ ଲକ୍ଷ ଲୋକ ରେଳରେ ଯାତ୍ରା କରିଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଅନେକ ଲୋକ ବିନା ଟିକେଟରେ ଯାତ୍ରା କରିବାକୁ ଚେଷ୍ଟା କରିଥାନ୍ତି । ସେପଟେ ରେଳ ବିଭାଗର ରୋଜଗାର ମାଧ୍ୟମ କଥା କହିଲେ ମାଲଭଡା, ଜରିମାନା ଓ ଯାତ୍ରୀ ଟିକେଟରୁ ହିଁ ହୋଇଥାଏ ।

ସେପଟେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗ ବଡ କ୍ଷତି ସହୁଛି । ହେଲେ ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କ ଠାରୁ ଟିକେଟ ମୂଲ୍ୟରୁ ବହୁ ଅଧିକ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଉଛି । ରେଳ ବିଭାଗ ତରଫରୁ ଅନୁରୋଧ କରାଯାଇଛି କି, ସମସ୍ତ ଯାତ୍ରୀ ଟିକେଟ କରିବା ପରେ ରେଳରେ ଯାତ୍ରା କରନ୍ତୁ ।