କନକ ବ୍ୟୁରୋ : ଭାରତର ଜନସଂଖ୍ୟା କେତେ ? ୨୦୧୧ରେ ଜନଗଣନା ପରେ କେତେ ବଢ଼ିଛନ୍ତି ଭାରତର ଜନସଂଖ୍ୟା । ଏହାର ପ୍ରକୃତ ତଥ୍ୟ ଜାଣିବା ପାଇଁ ଆରମ୍ଭ ହେବ ଜନଗଣନା । ଆସନ୍ତାମାସ ୧ ତାରିଖରୁ ୨୦୨୧ ଜନଗଣନାର ଔପଚାରିକତା ଆରମ୍ଭ ହେବ। ଜନଗଣନା ଡାଟା ଓ ଟ୍ରେଣ୍ଡରୁ ଯେଉଁ ସୂଚନା ଉପଲବ୍ଧ ହେବ ସେଥିରୁ ଯୋଜନା ପ୍ରସ୍ତୁତି ଓ କ୍ରିୟାନ୍ଵୟନ ସଠିକ ରୂପେ ହୋଇପାରିବ ବୋଲି ସରକାର କହିଛନ୍ତି। ୨୦୨୧ର ଜନଗଣନାରୁ କେବଳ ଲୋକସଂଖ୍ୟା ଓ ସାମାଜିକ ତଥ୍ୟ ଜଣାପଡ଼ିବ ତାହା ନୁହେଁ ବରଂ କିଛି ନୂତନ ସୂଚନା ମଧ୍ୟ ମିଳିପାରିବ।

Advertisment

publive-imageପ୍ରତି ୧୦ ବର୍ଷରେ ଥରେ ଜଣଗଣନା ହେଉଥିବା ବେଳେ ଶେଷଥର ପାଇଁ ୨୦୧୧ରେ ଏହି ଗଣନା ହୋଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୧୨୧୦୮୫୪୯୭୭ ଥିବା ଜଣାପଡ଼ିଥିଲା। ତେବେ ସମୟ ଓ ଆବଶ୍ୟକତା ଦୃଷ୍ଟିରୁ ଏହି ଜନଗଣନାରେ କିଛି ମାନଦଣ୍ଡର ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।

ବିଶେଷକରି ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା, ଚାଷୀମାନଙ୍କର ଅବସ୍ଥାର ବାସ୍ତବରୂପ ଆକଳନ ପାଇଁ ନୂଆ ପଦ୍ଧତିର ବ୍ୟବହାର ହେବ। ଜନଗଣନା ଓ ଜାତୀୟ ନମୁନା ସର୍ଭେରୁ ମିଳୁଥିବା ତଥ୍ୟରୁ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରୁନଥିବା ଅନେକ ସମୟରେ ସମାଲୋଚକମାନେ ମତବ୍ୟକ୍ତ କରିଥାନ୍ତି। ମିଳିଥିବା ଖବର ମୁତାବକ, ଔପଚାରିକତା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ ରାଜନୈତିକ ଦଳଙ୍କଠାରୁ ଏନେଇ ମତ ଲୋଡ଼ିବେ। ଉକ୍ତ ମତାମତକୁ ମଧ୍ୟ ଏଥିରେ ସାମିଲ କରାଯିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।