ଚାଷୀ ଆନ୍ଦୋଳନରେ ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍ । ପ୍ରତିକ୍ରିୟା ରଖିଲେ ଦେଶର ବଡ ବଡ ଚେହେରା

81

କନକ ବ୍ୟୁରୋ: ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ ଚାରିଆଡେ ଚର୍ଚ୍ଚାର ବିଷୟ ବନିଗଲା । କାରଣ ଚାଷୀ ଆନ୍ଦୋଳନକୁ ନେଇ ବିବାଦ ଯେମିତି ବଢୁଥିଲା, ଟେଲିଭିଜନ ପରଦା ଓ ଖବରକାଗଜରେ ସେମିତି ଶିରୋନାମା ବି ବନୁଥିଲା । କିନ୍ତୁ ରିହାନାଙ୍କ ଟ୍ୱିଟକୁ ଭାରତୀୟ ସେଲିବ୍ରିଟିମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ଲତା ମଙ୍ଗେସକର ଟ୍ୱିଟ କରି ଲେଖିଛନ୍ତି, ଜଣେ ଭାରତୀୟ ଭାବେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଗୋଟିଏ ଦେଶ ଭାବେ ଆମେ ସାମ୍ନା କରୁଥିବା ସମସ୍ତ ସମସ୍ୟାର ସମାଧାନ କରିବାରେ ସଫଳ ହେବୁ । ଆମ ଦେଶବାସୀଙ୍କ ସ୍ୱାର୍ଥରେ ଏହାର ବନ୍ଧୁତ୍ୱପୂର୍ଣ୍ଣ ସମାଧାନ କରିବାରେ ଆମେ ସକ୍ଷମ । ସେହିପରି ସଚିନ ତେନ୍ଦୁଲକର ଟ୍ୱିଟ କରି ଲେଖଛନ୍ତି, ଭାରତର ସାର୍ବଭୌମତ୍ୱରେ କୌଣସି ପ୍ରକାର ବୁଝାମଣା କରାଯାଇ ପାରିବ ନାହିଁ । ବାହାର ଶକ୍ତି କେବଳ ଏହାକୁ ଦେଖିବେ କେବେହେଲେ ଏଥିରେ ଭାଗିଦାର ହୋଇପାରିବେ ନାହିଁ । ଭାରତୀୟମାନେ ଭାରତକୁ ଜାଣିଛନ୍ତି । ସେମାନେ ଭାରତ ପାଇଁ ନିଷ୍ପତ୍ତି ନେଇପାରିବେ । ଆସନ୍ତୁ ସମସ୍ତେ ଗୋଟିଏ ଦେଶ ଭଳି ଏକାଠି ରହିବା ।

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଟ୍ୱିଟରେ ଲେଖିଛନ୍ତି, ଚାଷୀ ମାନେ ଦେଶର ବେଶ ଗୁରୁତ୍ୱପୂର୍ଣ୍ଣ ଅଂଶ । ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ସବୁପ୍ରକାର ପ୍ରୟାସ ଜାରି ରହିଛି । ଆଉ ତାହା ସ୍ପଷ୍ଟ ଭାବେ ଦେଖାଯାଉଛି । ଆସନ୍ତୁ ଏକ ବନ୍ଧୁତ୍ୱପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା । ଏବଂ ଯେକେହି ବି ବିଭାଜନ କରିବା ପାଇଁ ଅପଚେଷ୍ଟା କରୁଛି ତାଙ୍କ ପ୍ରତି ଧ୍ୟାନ ଦେବା ନାହିଁ । ସେହିପରି ଅଜୟ ଦେବଗନ ଲେଖିଛନ୍ତି, ଭାରତ ଏବଂ ଭାରତର ନୀତି ଗୁଡିକ ସମ୍ପର୍କିତ କୌଣସି ମିଥ୍ୟା ଅପପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ । ଏପରି ଏକ ସମୟରେ କୌଣସି ବିବାଦରେ ନପଡି ଏକତ୍ରିତ ହେବା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗରେ ସୁନିଲ ସେଟ୍ଟୀ ପ୍ରତିକ୍ରିୟା ରଖି କହିଛନ୍ତି କୌଣସି ପ୍ରସଙ୍ଗରେ ବିସ୍ତୁତ ଜ୍ଞାନ ରହିବା ନିହାତି ଆବଶ୍ୟକ । କାରଣ ଅଧା ସତ ଜାଣିବା ଠାରୁ ଭୟଙ୍କର କଥା ଆଉ କିଛି ନୁହଁ ।

ଦେଶର ପ୍ରସଙ୍ଗ ଉପରେ ବିଦେଶୀ ଟ୍ୱିଟକୁ ଅନେକ ପସନ୍ଦ କରିନାହାନ୍ତି । କାରଣ ଏହା ଦେଶର ଏକତା ଓ କୌଣସି ସମସ୍ୟାର ସମାଧାନ ଦିଗରେ ଦେଶର ଶକ୍ତି ଉପରେ ପ୍ରଶ୍ୱ ଉଠାଉଛି । ତେଣୁ ସମସ୍ତେ ଏହି ବିଦେଶୀ ଟ୍ୱିଟକୁ ସମାଲୋଚନା କରିଛନ୍ତି । କେବଳ ସେଲିବ୍ରିଟି ନୁହନ୍ତି ଭାରତୀ ରାଜନେତା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, କୌଣସି ମିଥ୍ୟା ପ୍ରଚାର ବା ଅଭିସନ୍ଧି ଭାରତର ଏକତାକୁ ଶେଷ କରି ପାରିବ ନାହିଁ । କୌଣସି ବି ମିଥ୍ୟା ପ୍ରଚାର ଭାରତକୁ ସଫଳତାର ଶୀର୍ଷରେ ପହଂଚାଇବାରେ ରୋକ ଲଗାଇ ପାରିବ ନାହିଁ । ଭାରତର ଭବିଶ୍ୟତ କେବଳ ବିକାଶ ଦ୍ୱାରା ନିର୍ଣ୍ଣୟ ହେବ କୌଣସି ଅପପ୍ରଚାର ଦ୍ୱାରା ନୁହେଁ । ଭାରତର ବିକାଶ ପାଇଁ ଦେଶ ଏକାଠି ଓ ମିଳିତ ଭାବେ ଛିଡା ହୋଇଛି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲେଖିଛନ୍ତି, ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ କରିବା ପୂର୍ବରୁ ସସସ୍ତ ତଥ୍ୟ ରଖିବା ସହ ପ୍ରସଙ୍ଗକୁ ସଠିକ ଭାବରେ ବୁଝି ଟିପ୍ପଣୀ ଦେବା ଉଚି୍ତ ।