ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତା ମାର୍ଚ୍ଚ ମାସରୁ ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମରୁ ଆଉ ୨୦୦୦ ଟଙ୍କିଆ ନୋଟ ପାଇବେ ନାହିଁ ଗ୍ରାହକ । କାରଣ ଇଣ୍ଡିଆନ ବ୍ୟାଙ୍କର ଏଟିଏମରେ ମାର୍ଚ୍ଚ ପହିଲାରୁ ୨୦୦୦ ଟଙ୍କିଆ ନୋଟ ଭର୍ତ୍ତି କରାଯିବ ନାହିଁ । ୨୦୦୦ ଟଙ୍କିଆ ନୋଟ ବଦଳରେ ଅଧିକରୁ ଅଧିକ ୨୦୦ ଟଙ୍କିଆ ନୋଟ  ଭର୍ତ୍ତି କରିବାକୁ ନିଷ୍ପତି ନିଆଯାଇଛି । ଏନେଇ ସମସ୍ତ ବ୍ରାଞ୍ଚକୁ ସୂଚିତ କରାଯାଇଛି । ତେବେ ଅନ୍ୟ ବ୍ୟାଙ୍କ ଏଟିଏମରେ ପୂର୍ବଭଳି ୨୦୦୦ ଟଙ୍କିଆ ଉପଲବ୍ଧ ହେବ ।

Advertisment

ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏଟିଏମରୁ ୨୦୦୦ ଟଙ୍କିଆ ନୋାଟ୍‌ ବାହାରିବା ପରେ ଗ୍ରାହକମାନେ ତାହାକୁ ବଦଳାଇବା ପାଇଁ ବ୍ୟାଙ୍କକୁ ଧାଡ଼ି କରି ଯାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏଟିଏମରେ ୨୦୦୦ ଟଙ୍କିଆ ନୋଟ୍‌ ନ ପୂରାଇବା ପାଇଁ ଯୋଜନା କରାଯାଉଛି। କେବଳ ସେତିକି ନୁହେଁ, ମାର୍ଚ ପହିଲା ସୁଦ୍ଧା ଯଦି କିଛି ୨୦୦୦ ଟଙ୍କିଆ ନୋଟ୍‌ ଏଟିଏମରେ ରହି ଯାଇଥାଏ ତେବେ ତାହାକୁ ବାହାର କରି ନିଆଯିବ। ଏନେଇ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇଛି ।

ଏହି ସର୍କୁଲାରରେ କୁହାଯାଇଛି ଯେ,  ୧ ମାର୍ଚ୍ଚରୁ ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମରୁ ୨୦୦୦ ଟଙ୍କା ଭର୍ତ୍ତି ହେଉଥିବା  କ୍ୟାସେଟକୁ ବାହାର କରି ଦିଆଯିବ । ଗ୍ରାହକଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଛନ୍ତି । ୨୦୦୦ ଟଙ୍କା ବଦଳରେ ୨୦୦ ଟଙ୍କା ନୋଟ ଏଟିଏମରେ ଅଧିକରୁ ଅଧିକ ଭର୍ତ୍ତି କରାଯିବ । ଏପରିକି ୨୦୦ ଟଙ୍କା ଭର୍ତ୍ତି ହେଉଥିବା କ୍ୟାସେଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । କେବଳ ବ୍ରାଞ୍ଚରେ ହିଁ ୨୦୦୦ ଟଙ୍କିଆ ନୋଟ ପାଇପାରିବେ ଗ୍ରାହକ । ଏପରିକି ବ୍ରାଞ୍ଚରେ ୨୦୦୦ ଟଙ୍କିଆ ନୋଟ  ଉଠାଇବା ସହ ଡିପୋଜିଟ କରିପାରିବେ ଗ୍ରାହକ ।

ଏ ନେଇ ଫାଇନାନସିଆଲ୍‌ ସଫ୍ଟୱେୟାର୍‌ ଆଣ୍ଡ୍‌ ସିଷ୍ଟମର ଅଧ୍ୟକ୍ଷ ଭି ବାଲାସୁବ୍ରମଣ୍ୟମ୍‌ କହନ୍ତି,‘ଏ ନେଇ ଆମକୁ ବ୍ୟାଙ୍କ୍‌ ପକ୍ଷରୁ କୌଣସି ସୂଚନା ଏଯାଏଁ ମିଳିନାହିଁ। ଏହି କମ୍ପାନି ଦେଶର ଅନେକ ଏଟିଏମକୁ ପରିଚାଳନା କରୁଛି। ବ୍ୟାଙ୍କ୍‌ ମିଶ୍ରଣ ହୁଏତ ଦେଶରୁ କିଛି ଏଟିଏମ୍‌ ସଂଖ୍ୟା କମ୍‌ କରି ଦେଇପାରେ।’ କେବଳ ସେତିକି ନୁହେଁ, ଦେଶରେ ଉନ୍ନତ ମାନର କିଛି ଏଟିଏମ୍‌ ନୂଆ କରି ପ୍ରଚଳନ କରିବା ପାଇଁ ଭାରତୀୟ ‌‌ଷ୍ଟେଟ୍‌ ବ୍ୟାାଙ୍କ୍‌ ଏକ ପ୍ରସ୍ତାବ ଆଣୁଛି। ଏପ୍ରିଲ ପହିଲାରୁ ଇଣ୍ଡିଆନ ବ୍ୟାଙ୍କ୍ ସହ ଏହ୍ଲାବାଦ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି ।  ଯାହାଦ୍ୱାରା ଏହା ଦେଶର ୭ମ ବୃହତ ବ୍ୟାଙ୍କ୍ ହେବାକୁ ଯାଉଛି ।